ଡିଜିପିଙ୍କ କ୍ୟାମ୍ପ କାର୍ୟ୍ୟାଳୟରେ ସମୀକ୍ଷା ବୈଠକ, ସୁରକ୍ଷା ବ୍ୟବସ୍ଥା ନେଇ ଗୁରୁତ୍ବାରୋପ
ଭୁବନେଶ୍ବର: ଇଂରାଜୀ ନବ ବର୍ଷ ୨୦୨୬ ଉପଲକ୍ଷେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ଲକ୍ଷାଧିକ ଭକ୍ତ ପୁରୀକୁ ଆସିବାର ସମ୍ଭାବନା ରହିଛି । ଭକ୍ତଙ୍କ ସୁରକ୍ଷା, ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ, ମନ୍ଦିର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥାର ସୁସମନ୍ୱୟ ଓ ସୁପରିଚାଳନା ଉପରେ ଆଜି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ୟ୍ୟାଳୟଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ସହର ମଧ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଡିଜିପି ବୈଠକରେ ଗୁରୁତ୍ବାରୋପ କରିଥିଲେ । ଶ୍ରୀ ମନ୍ଦିର ପରିସର ମଧ୍ୟରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ଼ ସୁନିୟନ୍ତ୍ରଣ, ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥାର ସୁପରିଚାଳନା, ସମୁଦ୍ର କୂଳରେ ପାଟ୍ରୋଲିଂ, ଗୁରୁତ୍ଵପୂର୍ଣ୍ଣ ଛକମାନଙ୍କରେ ସିସିଟିଭି ସ୍ଥାପନ, ହୋଟେଲ ଓ ଲଜ ଗୁଡିକରେ କଡା କଡ଼ି ଚେକିଂ ଭଳି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଡିଜିପି ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ନବବର୍ଷ ପାଳନ ଅବସରରେ ପୁରୀରେ ସୁରକ୍ଷିତ, ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ପାଇଁ ପୁଲିସ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଡିଜିପି ପୁରୀ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ବୈଠକରେ ନିର୍ଦ୍ଦେଶକ (ଗୁଇନ୍ଦା) ଶ୍ରୀ ଆର. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ନକ୍ସଲ ବିରୋଧୀ ଅଭିଯାନ) ସଂଜୀବ ପଣ୍ଡା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ରେଳବାଇ ଓ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଭୁବନେଶ୍ବର-କଟକ ପୋଲିସ କମିଶନର, ଏସ.ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ସଶସ୍ତ୍ର ) ରାଜେଶ କୁମାର, ଡିଆଇଜି(କେନ୍ଦ୍ରାଞ୍ଚଳ) ସତ୍ୟଜିତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।
Powered by Froala Editor