ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନା ବୁଧୁବାର
ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନା ନେଇ ଆମେରିକା ବାଣିଜ୍ୟ ପ୍ରତିନିଧି କାର୍ଯ୍ୟାଳୟର ଏକ ପ୍ରତିନିଧିମଣ୍ଡଳୀ ମଙ୍ଗଳବାର ଭାରତରେ ପହଞ୍ଚିବେ। ଆଲୋଚନାରେ ଆମେରିକା ଦ୍ୱାରା ଲାଗୁ ହୋଇଥିବା ଅତିରିକ୍ତ ଶୁଳ୍କ ହ୍ରାସ କରିବା ପାଇଁ ଏକ ଚୁକ୍ତି ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି। ସୂଚନା ଅନୁଯାୟୀ, ଆସନ୍ତା ୧୦ ଓ ୧୧ ଦୁଇଦିନ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ସମ୍ବନ୍ଧୀୟ ସମସ୍ତ ପ୍ରସଙ୍ଗରେ ପ୍ରତିନିଧିସ୍ତରୀୟ ଆଲୋଚନା ହେବ।
ଆମେରିକୀୟ ପରିଦର୍ଶକ ଦଳର ନେତୃତ୍ୱ ନେବେ ଡେପୁଟି ଆମେରିକା ବାଣିଜ୍ୟ ପ୍ରତିନିଧି ରିକ୍ ସ୍ୱିଜର। ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ସହାୟକ ଥିବା ବ୍ରେଣ୍ଡନ୍ ଲିଞ୍ଚ ମଧ୍ୟ ପ୍ରତିନିଧିମଣ୍ଡଳୀରେ ଆସୁଛନ୍ତି। ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ପାଇଁ ସ୍ୱିଜର ନେତୃତ୍ୱ ନେଉଥିବା ବେଳେ ଲିଞ୍ଚ ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଉଭୟ ସରକାର ଏକ ନିରପେକ୍ଷ, ସନ୍ତୁଳିତ ଏବଂ ପାରସ୍ପରିକ ଲାଭଦାୟକ ବହୁକ୍ଷେତ୍ରୀୟ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମାକୁ ଚୂଡ଼ାନ୍ତ ରୂପ ଦେବା ଲକ୍ଷ୍ୟରେ ନିୟୋଜିତ ଅଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସରକାରୀ ମୁଖପାତ୍ର ରଣଧୀର ଜୟସ୍ଵାଲ କହିଛନ୍ତି। ଉଭୟ ଦେଶ ୨୦୨୫ ମାର୍ଚ୍ଚ ପରଠାରୁ ୬ ଥର ଆଲୋଚନା ଏବଂ ଅନ୍ୟାନ୍ୟ ବୈଠକ କରିଛନ୍ତି।
Powered by Froala Editor