ଗିରଫ ହେଲେ ବିକ୍ରମ ଭଟ୍ଟ, ବାୟୋପିକ୍ ପାଇଁ ନେଇଥିଲେ ୩୦ କୋଟି
ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି ରାଜସ୍ଥାନ ପୁଲିସ। ୩୦ କୋଟି ଠକେଇ ମାମଲାରେ ତାଙ୍କ ସମେତ ୮ ଜଣଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ହୋଇଥିବାବେଳେ ପୁଲିସ ରବିବାର ବିକ୍ରମଙ୍କୁ ଗିରଫ କରିଛି। ୧୭ ନଭେମ୍ବରରେ, ରାଜସ୍ଥାନର ଉଦୟପୁରରେ ଥିବା ଇନ୍ଦିରା ଗ୍ରୁପ୍ ଅଫ୍ କମ୍ପାନୀଜ୍ର ମାଲିକ ଡକ୍ଟର ଅଜୟ ମୁର୍ଡିଆ, ବିକ୍ରମ ଭଟ୍ଟ ଏବଂ ଅନ୍ୟ ଆଠ ଜଣଙ୍କ ବିରୁଦ୍ଧରେ ୩୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଏକ ଏଫଆଇଆର ଦାୟର କରିଥିଲେ। ମୁର୍ଡିଆ ଅଭିଯୋଗ କରିଥିଲେ ଯେ ଭଟ୍ଟ ଏବଂ ତାଙ୍କ ଦଳ ତାଙ୍କୁ ଏକ ଫିଲ୍ମ ପ୍ରୋଜେକ୍ଟରେ ୩୦ କୋଟି ଟଙ୍କା ନିବେଶ କରିବାକୁ ପ୍ରଲୋଭିତ କରିଥିଲେ।
ଭଟ୍ଟ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଫିଲ୍ମଟି ୨୦୦ କୋଟି ଟଙ୍କା ରୋଜଗାର କରିବ ଏବଂ ଲାଭଦାୟକ ହେବ। ଏହି ପ୍ରୋଜେକ୍ଟ ଡକ୍ଟର ମୁର୍ଡିଆଙ୍କ ସ୍ୱର୍ଗତ ପତ୍ନୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକ ଜୀବନୀ ଆଧାରିତ ଚଳଚ୍ଚିତ୍ର ଥିଲା। ବିକ୍ରମ, ତାଙ୍କ ସ୍ତ୍ରୀ ଶ୍ଵେତାମ୍ବରୀ, ଝିଅ କ୍ରିଷ୍ଣା ଏବଂ ଅନ୍ୟମାନେ ମିଶି ଚଳଚ୍ଚିତ୍ର ନିର୍ମାଣ କରିବେ ବୋଲି କହିଥିଲେ। ପିଲ୍ମରେ ୩୦ କୋଟି ଖର୍ଚ୍ଚ ହେବ ବୋଲି କହିବା ସହିତ ଏଥିରୁ ଅଜୟଙ୍କୁ ୨୦୦ କୋଟି ଟଙ୍କା ଲାଭ ମିଳିବ ବୋଲି ଆଶା ଦେଖାଇଥିଲେ। ପରବର୍ତ୍ତୀ ସମୟରେ ବିକ୍ରମ ଏବଂ ତାଙ୍କ ଟିମ ଅଜୟଙ୍କଠାରୁ ୩୦ କୋଟି ନେଇଥିଲେ ହେଁ କୌଣସି ଫିଲ୍ମ ତିଆରି କରି ନ ଥିଲେ। ଯାହାଫଳରେ ଅଜୟ ଥାନାରେ ଅଭିଯୋଗ କରିଥିଲେ।
ନିକଟରେ, ଉଦୟପୁର ଏବଂ ମୁମ୍ବାଇ ପୁଲିସ ଏକ ମିଳିତ ଅଭିଯାନ ଚଳାଇ ବିକ୍ରମ ଭଟ୍ଟଙ୍କୁ ମୁମ୍ବାଇର ୟାରି ରୋଡ୍ ଅଞ୍ଚଳରେ ତାଙ୍କ ଶାଳୀଙ୍କ ଘରୁ ଗିରଫ କରିଥିଲେ। ଫଳସ୍ୱରୂପ, ପୁଲିସ ଫିଲ୍ମ ନିର୍ମାତାଙ୍କୁ ଉଦୟପୁରକୁ ନେବା ପାଇଁ କୋର୍ଟରୁ ଟ୍ରାଞ୍ଜିଟ୍ ରିମାଣ୍ଡ ଆବେଦନ କରିଥିଲା।
Powered by Froala Editor