ମହିଳା ନିଶାବେପାରୀଙ୍କ ୪ ଘରେ ବୁଲିଲା ବୁଲ୍ଡୋଜର
ପୁରୀ: ପୁରୀ ଜିଲାରେ ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶ ଢାଞ୍ଚାରେ ନିଶାବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ତତ୍ତ୍ବାବଧାନରେ ‘ଅପରେସନ ଚକ୍ର’ ଅଭିଯାନରେ ସଦର ଥାନା ଅଧୀନ ନୀଳଚକ୍ର ନଗରରେ ରହୁଥିବା ଜଣେ ନିଶାବେପାରୀଙ୍କ ଘରେ ବୁଲ୍ଡୋଜର ବୁଲିଛି। ଉକ୍ତ ମହିଳା ନିଶାବେପାରୀଙ୍କ ୪ଟି ଘରକୁ ପୁଲିସ ଉପସ୍ଥିତିରେ ଭାଙ୍ଗି ଦିଆଯାଇଛି।
ଆରକ୍ଷୀ ଅଧୀକ୍ଷକ ଭାବେ ଶ୍ରୀ ସିଂ ଯୋଗଦେବା ପରେ ପୁରୀକୁ ଅପରାଧ, ନିଶାମୁକ୍ତ କରିବା ପାଇଁ ଅପରେସନ ଚକ୍ର ଆରମ୍ଭ ହୋଇଛି। ନିଶା କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସ୍ବରୂପ ସେମାନଙ୍କ ଘର ଭାଙ୍ଗିବାକୁ ବୁଲ୍ଡୋଜର ଚଢ଼ଉ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ସକାଳେ ନୀଳଚକ୍ର ନଗରରେ ଦୀର୍ଘବର୍ଷ ହେଲା ନିଶା କାରବାର କରୁଥିବା ଏହି ୪ଟି ଘର ବୁଲ୍ଡୋଜର ସହାୟତାରେ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି।
ପ୍ରକାଶଯୋଗ୍ୟ, ଜଣେ ମହିଳା ଦୀର୍ଘ ବର୍ଷ ହେଲା ବ୍ରାଉନସୁଗର କାରବାରରେ ସମ୍ପୃକ୍ତ ଥାଇ ଏକାଧିକ ଥର ଗିରଫ ହୋଇଥିଲା। ତାଙ୍କ ନାମରେ ପ୍ରାୟ ୪ରୁ ଊର୍ଦ୍ଧ୍ବ ନିଶା କାରବାର ମାମଲା ରହିଛି।
Powered by Froala Editor