ଅମାନୁଷିକ ଘଟଣା: ଚତୁର୍ଥଶ୍ରେଣୀ ଛାତ୍ର ଗୋଡ଼ରେ ପ୍ରଧାନ ଶିକ୍ଷକ ପକାଇଲେ ବେଡ଼ି!
ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି । ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନିର୍ଦ୍ଦେଶରେ ଜଣେ କର୍ମଚାରୀ ୪ର୍ଥ ଶ୍ରେଣୀ ଛାତ୍ରଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା ଅଞ୍ଚଳରେ ଆଲୋଡ଼ନସୃଷ୍ଟି କରିଛି । ବେଗୁନିଆ ୟୁଜିୟୁପି ସ୍କୁଲର ଚତୁର୍ଥଶ୍ରେଣୀରେ ପାଠ ପଢ଼ୁଥିବା ନିକଟସ୍ଥ କମାରଖାଲିଆ ଗାଁର ମଳୟ ସିଂ ନାମକ ଛାତ୍ରଙ୍କ ଗୋଡ଼ରେ ଦୀର୍ଘ ପ୍ରାୟ ୧୫ଦିନ ହେବ ଏହି ବେଡ଼ି ପଡ଼ିଥିବା ଅଭିଯୋଗ ହୋଇଛି । ସବୁ ସୀମା ଟପି ତଥା ମାନବିକତା ଭୁଲିଯାଇ ପ୍ରଧାନ ଶିକ୍ଷକ ରଘୁନାଥ ବାଗୁଡ଼ାଇଙ୍କ କଥାରେ ଏହି ଛାତ୍ରଙ୍କ ଗୋଡ଼ରେ ଶିକୁଳି ଲଗାଇ ଛାତ୍ରାବାସର ଖଟ ବାଡ଼ାରେ ବନ୍ଧା ଯାଇଥିବା ଅଭିଯୋଗ ହୋଇଛି । ଏପରିକି ପିଲାଟିକୁ ସ୍କୁଲକୁ ପାଠ ପଢ଼ିବାକୁ ଛଡ଼ା ନଯାଇ ସେହି ଛାତ୍ରାବାସରେ ହିଁ ଛାତ୍ରଜଣକ ଏକପ୍ରକାର ବନ୍ଦୀ ଜୀବନ କାଟୁଥିଲା ।
ଉକ୍ତ ସ୍କୁଲର ଅନ୍ୟ ଜଣେ ଶିକ୍ଷକ ଏଭଳି ଦୃଶ୍ୟ ଦେଖି ଚକିତ ହୋଇ ଉଠିଥିଲେ । ଏହି ଘଟଣା ପ୍ରଘଟ ହେବା ପରେ ପରିସ୍ଥିତି ଜଟିଳ ଆଡ଼କୁ ଗତି କରିଛି । ପ୍ରଧାନ ଶିକ୍ଷକଙ୍କ ଏଭଳି ବର୍ବରତା ସମ୍ପର୍କରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏହି ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
Powered by Froala Editor