ଶ୍ରୀମନ୍ଦିର ବିଷୟରେ ଭୁଲ୍ ତଥ୍ୟ ଦେଇଥିଲେ କାର୍ଯ୍ୟାନୁଷ୍ଠାନ ହେବ
ସୋସିଆଲ ମିଡିଆ ଇନ୍ଫ୍ଲୁଏନସର ଶୁଭଙ୍କର ମିଶ୍ରାଙ୍କ ପୁରୀ ଶ୍ରୀମନ୍ଦିରକୁ ନେଇ ଦେଇଥିବା ବିବାଦୀୟ ଟିପ୍ପଣୀ ଲାଗି ତାଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ଶ୍ରୀମନ୍ଦିର ପ୍ରସଙ୍ଗରେ ସୋସିଆଲ୍ ମିଡିଆରେ ଭୁଲ୍ ତଥ୍ୟ ଉପସ୍ଥାପନ କରିବା ପ୍ରସଙ୍ଗରେ ଏପରି କହିଛନ୍ତି ପୁରୀ ଜିଲ୍ଲାପାଳ ।
ସେ କହିଛନ୍ତି, ଶୁଭଙ୍କର ମିଶ୍ରାଙ୍କର ଟିପ୍ପଣୀକୁ ନେଇ ତର୍ଜମା କରାଯାଉଛି। ଏହା ଗୁଜବ ନା ସତ୍ୟ ତାହାକୁ ମଧ୍ୟ ପରୀକ୍ଷା ନିରୀକ୍ଷା କରାଯାଉଛି। ଯଦି ସେ ଏଭଳି ମନ୍ତବ୍ୟ ଦେଇଥାନ୍ତି ଓ କମିଟି ରିପୋର୍ଟ ଦିଅନ୍ତି ତେବେ ତାଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଶୁଭଙ୍କର ମିଶ୍ରା କହିଥିଲେ ଯେ, ବିବାହ ପୂର୍ବରୁ ଯଦି ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କର ଦର୍ଶନ କରିବେ ତେବେ ସେମାନଙ୍କ ପ୍ରେମ କେବେ ବି ସଫଳ ହେବନାହିଁ। ଏଥିସହ ବିବାହ ବନ୍ଧନରେ ସେମାନେ କେବେ ବି ବାନ୍ଧି ହୋଇପାରିବେ ନାହିଁ। ଶ୍ରୀମନ୍ଦିର ଉପରେ ମା ରାଧାରାଣୀଙ୍କ ଅଭିଶାପ ପଡିଛି। ମା ରାଧାରାଣୀ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥଙ୍କ ରୂପରେ ଦର୍ଶନ କରିବାକୁ ଯାଉଥିବା ବେଳେ ସେତେବେଳେ ସେବାୟତ ମାନେ ତାଙ୍କୁ ଅଟକାଇଥିଲେ। ଏହା ମଧ୍ୟ କହିଥିଲେ ଶ୍ରୀମନ୍ଦିର ଭିତରକୁ ଭଗବାନଙ୍କ ଧର୍ମପତ୍ନୀଙ୍କ ପ୍ରବେଶ ଉପରେ ବାରଣ ରହିଛି। ଆପଣ କିଭଳି ଭିତରକୁ ଆସିଲେ। ଏକଥା ଶୁଣି ମା ରାଧାରାଣୀ ରାଗିଯାଇ ଶ୍ରୀମନ୍ଦିରକୁ ଅଭିଶାପ ଦେଇଥିଲେ। ଶୁଭଙ୍କର ମିଶ୍ରାଙ୍କ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ପ୍ରତି ଏଭଳି ଭୁଲ୍ ଉପସ୍ଥାପନକୁ ନେଇ ଜଗନ୍ନାଥ ପ୍ରେମୀ ଓ ଗବେଷକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ କଣ ପଦକ୍ଷେପ ନେଉଛି ତାକୁ ହିଁ ଏବେ ଅପେକ୍ଷା।
ଶୁଭଙ୍କରଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଏବେ ଓଡ଼ିଶାରେ ବିଶେଷ କରି ପୁରୀରେ ଅସନ୍ତୋଷ ଦେଖାଦେଇଛି। ବଡ଼ ବଡ଼ ଚ୍ୟାନେଲରେ ନିଉଜ୍ ଆଙ୍କର ଭାବେ କାମ କରିସାରିଥିବା ଶୁଭଙ୍କରଙ୍କ ଏଭଳି ଟିପ୍ପଣୀକୁ ନେଇ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
Powered by Froala Editor