ହ୍ୟୁମାନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବିରୋଧୀ ଦଳ ନେତା
ଭୁବନେଶ୍ୱର: ଅଫେରା ରାଇଜରେ ଓଲିଉଡ ଜଗତର ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଗତକାଲି ରାତିରେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ରାଜ୍ୟପାଳ ହରିବାବୁ କମ୍ଭମପାଟି ଶୋକବାର୍ତ୍ତାରେ କହିଛନ୍ତି, ଜଣେ ଯୁବ ସଙ୍ଗୀତ ପ୍ରତିଭା ଭାବେ ହ୍ୟୁମାନ ସାଗରଙ୍କ ନାଁ ରହିଥିଲା। ସଙ୍ଗୀତ ଜଗତ ପାଇଁ ତାଙ୍କ ବିୟୋଗ ଅପୂରଣୀୟ କ୍ଷତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକବାର୍ତ୍ତାରେ କହିଛନ୍ତି, ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କ ବିୟୋଗ ଆମ ସଙ୍ଗୀତ ଓ ସିନେମା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅନେକ ଗୀତରେ କଣ୍ଠଦାନ କରି ବହୁତ କମ୍ ସମୟ ମଧ୍ୟରେ ସେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଲେଖିଛନ୍ତି, ହ୍ୟୁମାନ ସାଗରଙ୍କ ଦେହାନ୍ତ ବିଷୟରେ ଜାଣି ଗଭୀର ଭାବେ ଦୁଃଖିତ । ତାଙ୍କର ଭାବପୂର୍ଣ୍ଣ ସଙ୍ଗୀତ ଅଗଣିତ ଶ୍ରୋତାଙ୍କ ହୃଦୟକୁ ଛୁଇଁଛି ଏବଂ ଓଡ଼ିଆ ସଙ୍ଗୀତ ପ୍ରତି ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ।
Powered by Froala Editor