୨୦ ରୁ କେନ୍ଦୁଝର ବନଖଣ୍ଡରେ ଆରମ୍ଭ ହେବ ବାଘ ଗଣନା, ୩୦୦ କର୍ମଚାରୀ ହେବେ ସାମିଲ
କେନ୍ଦୁଝର: କେନ୍ଦୁଝର ବନଖଣ୍ଡରେ ଆସନ୍ତା ୨୦ ତାରିଖରୁ ବାଘ ଗଣନା ଆରମ୍ଭ ହେବାକୁ ଯାଉଛି । ବାଘ ସହିତ ଅନ୍ୟାନ୍ୟ ଜୀବଜନ୍ତୁ ଗଣନା ମଧ୍ୟ କରାଯିବ । କେନ୍ଦୁଝର ବନଖଣ୍ଡରେ ୧୦୫ ବିଟ୍ରେ ଏହି ଗଣନା ହେବାକୁ ଥିବା ବେଳେ ୩୦୦ କର୍ମଚାରୀ ବନଖଣ୍ଡ ଅଧିକାରୀ ଠାରୁ ଆରମ୍ଭ କରି ବନରକ୍ଷୀ ପର୍ୟ୍ୟନ୍ତ ସମସ୍ତେ ଗଣନାରେ ସାମିଲ ହେବେ । କେନ୍ଦୁଝର ବନଖଣ୍ଡରେ ଏବେ ୨ଟି ମହାବଳ ବାଘ ଚଳପ୍ରଚଳ କରୁଥିବାରୁ ବେଶ୍ ସତର୍କତାର ସହିତ ବାଘ ଗଣନା ପାଇଁ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ପ୍ରଥମେ ପାଦରେ ଚାଲି ଗଣନା ପରେ ଟ୍ରାପ୍ କ୍ୟାମେରାରେ ବାଘ ଗଣନା କରାଯିବ ବୋଲି ବନବିଭାଗ ପକ୍ଷରୁ ପ୍ରସ୍ତୁତି ହୋଇଛି ।୨୦ ଠାରୁ ୨୫ ନଭେମ୍ବର ପର୍ୟ୍ୟନ୍ତ ବନ ଅଧିକାରୀ ଏବଂ କର୍ମଚାରୀମାନେ ୬ ଦିନ ଧରି ୪ ଭାଗରେ ବିଭକ୍ତ ହୋଇ ପାଦଚଲା ପେଟ୍ରୋଲିଂ କରି ବାଘର ପାଦ ଚିହ୍ନ, ମଳ ସଂଗ୍ରହ କରିବେ ।
ଏହି ସମୟରେ ନଦୀ, ନାଳ ନିକଟରେ ବାଲି ଥିଲେ ତାହାକୁ ସମତୁଲ କରି ବାଘର ପାଦ ଚିହ୍ନ ନେବାକୁ ପଦକ୍ଷେପ ଗ୍ରହଣ କରାଯାଇଛି । ବିଶେଷ କରି ବାଘ ରହୁଥିବା ଟେରିଟାରୀରେ ଗଣନାକୁ ଅଧିକ ପ୍ରାଧାନ୍ୟ ଦିଆଯିବ । ଡିଭିଜନସ୍ତରରେ ବିଭିନ୍ନ ଉପାୟରେ ବ୍ୟାଘ୍ର ଗଣନା ପାଇଁ ଏକତ୍ରିକରଣ ଏବଂ ବିଶ୍ଲେଷଣ କରାଯିବ । ଫରେଷ୍ଟର, ଗାର୍ଡ ଏବଂ ଅନ୍ୟ ବନ କର୍ମଚାରୀମାନେ ଏମ୍ଷ୍ଟ୍ରିପେସ୍ ଇକୋଲିଜିକାଲ ଆପ୍ ଜରିଆରେ ସର୍ଭେ ରିପୋର୍ଟ ନିର୍ଦ୍ଧାରିତ ସମୟ ମଧ୍ୟରେ ଲୋଡ୍ କରିବାକୁ ବନବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
Powered by Froala Editor