ହ୍ୟୁମାନ୍ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥାରେ ଆସିନି କୌଣସି ସୁଧାର
ଭୁବନେଶ୍ବର: ଓଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଏବେ ଭେଣ୍ଟିଲେଟରରେ। ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ। ଗତକାଲି ଯେଉଁ ଅବସ୍ଥାରେ ହ୍ୟୁମାନ୍ ସାଗରଙ୍କୁ ଭୁବନେଶ୍ବର ଏମ୍ସ ଆଇସିୟୁରେ ଭର୍ତ୍ତି କରାଯାଇଥିଲା, ଆଜି ସେମିତି ରହିଛି। ସ୍ବାସ୍ଥ୍ୟାବସ୍ଥା ଅତି ଜଟିଳ ରହିଛି। ଡାକ୍ତରଙ୍କ କହିବା ଅନୁଯାୟୀ, ତାଙ୍କୁ ୭୨ ଘଣ୍ଟା ଯାଏ ଅବଜରଭେସନରେ ରଖାଯାଇଛି।
ତାଙ୍କର ଲିଭର୍ ଖରାପ ଥିବାବେଳେ କିଡ୍ନି ଗୁରୁତର ଭାବେ ପ୍ରଭାବିତ ହୋଇଛି। ସେ ଗତ କିଛି ସପ୍ତାହ ହେଲା କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି।ଲିଭର୍ ଓ କିଡ୍ନି ସହିତ ହ୍ୟୁମାନ୍ଙ୍କ ବହୁ ଅଙ୍ଗ ପ୍ରଭାବିତ ହୋଇଛି। ସେ ଶ୍ବାସକ୍ରିୟାଜନିତ ଅସୁବିଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ପୀଡ଼ିତ ଅଛନ୍ତି। ତାଙ୍କୁ ଭେଣ୍ଟିଲେଟର୍ ସହାୟତାରେ ରଖାଯାଇଛି। ଏକ୍ମୋ ବିଶେଷଜ୍ଞ ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ବାବଧାନରେ ତାଙ୍କର ଚିକିତ୍ସା ଚାଲିଛି।
Powered by Froala Editor