ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ: ଯାଞ୍ଚ ବେଳେ ସାମ୍ନାକୁ ଆସିଲା ବଡବଡିଆଙ୍କ ତଥ୍ୟ
ଭୁବନେଶ୍ୱର: ବହୁଚର୍ଚ୍ଚିତ ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀର ତଦନ୍ତକୁ ତ୍ୱରାନ୍ୱିତ କରୁଛି ସିବିଆଇ । ଗତକାଲି କ୍ରାଇମବ୍ରାଞ୍ଚ ଠାରୁ ପୁରା ଘଟଣାର ଦସ୍ତାବିଜ୍ ସଂଗ୍ରହ କରିବା ପରେ ଆଜି ଏହାକୁ ନିକିନିଖ୍ ଯାଞ୍ଚ କରୁଛି । ଯାଞ୍ଚ ବେଳେ ବହୁ ବଡବଡ଼ିଆଙ୍କ ଲିଙ୍କ୍ ଥିବା ସିବିଆଇ ଜାଣିବାକୁ ପାଇଛି ।
ସିବିଆଇ ଆନୁଷ୍ଠାନିକ ଭାବେ ଏସଆଇ ପରୀକ୍ଷା କେଳେଙ୍କାରୀର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ପରେ ଗତକାଲି କ୍ରାଇମବ୍ରାଞ୍ଚ ଠାରୁ ସମସ୍ତ ଦସ୍ତାବିଜ ସଂଗ୍ରହ କରିଥିଲା । ଘଟଣାର ପ୍ରଥମରୁ ଶେଷ ପର୍ୟ୍ୟନ୍ତ ସମସ୍ତ ରେକର୍ଡକୁ କ୍ରାଇମବ୍ରାଞ୍ଚ ଠାରୁ ସିବିଆଇ ନେଇଛି । ଏହାସହ ଏହି ମାମଲାରେ ଯାହାସବୁ ଘଟିଛି ସେ ସମସ୍ତ ତଥ୍ୟ ମଧ୍ୟ ସିବିଆଇ ସଂଗ୍ରହ କରିଛି । କ୍ରାଇମବ୍ରାଞ୍ଚ ଠାରୁ ଜବତ ହୋଇଥିବା ଦସ୍ତାବିଜ୍ ସିବିଆଇର ଏକ ଉଚ୍ଚସ୍ତରୀୟ ଟିମ୍ ଟିକିନିଖ ଯାଞ୍ଚ କରୁଥିବା କୁହାଯାଉଛି । ଯାଞ୍ଚ ବେଳେ ଯେଉଁ ବଡବଡିଆଙ୍କ ତଥ୍ୟ ସାମ୍ନାକୁ ଆସିଛି ସେମାନଙ୍କର ବ୍ୟାଙ୍କ ଖାତାକୁ ଟିକନିକ ଅନୁଧ୍ୟାନ କରିବା ସହ ତାଙ୍କର ଆୟକର ରିଟର୍ଣ୍ଣ, ପର୍ପଟି ଷ୍ଟେଟମେଣ୍ଟକୁ ମଧ୍ୟ ବ୍ୟାଙ୍କ ଆକାଉଣ୍ଟ ଖାତା ସହ ମେଳ ଖୁଆଉଛି । ଖୁବଶୀଘ୍ର ଏ ଦିଗରେ ସିବିଆଇ ସବିଶେଷ ତଥ୍ୟକୁ ହାତରେ ଧରି ପରବର୍ତ୍ତୀ ପଦକ୍ଷେପ ନେବାକୁ ଯାଉଥିବା କୁହାଯାଉଛି ।
Powered by Froala Editor