ନୂଆପଡ଼ା ଉପନିର୍ବାଚନ: ବିଜୟ ହାସଲ କଲା ବିଜେପି, ବିଧାନସଭାରେ ସଦସ୍ୟ ସଂଖ୍ୟା ୭୯କୁ ବୃଦ୍ଧି
ଭୁବନେଶ୍ବର: ନୂଆପଡ଼ା ବିଧାନସଭା ଉପ ନିର୍ବାଚନରେ ବିଜେପିର ବିଶାଳ ବିଜୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୧୭ ମାସର ଶାସନ କାଳ ଉପରେ ରାଜ୍ୟବାସୀଙ୍କ ମୋହର ସଦୃଶ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ନେତୃତ୍ବରେ ବିଜେଡି ହାତରୁ ବିଜେପି ନୂଆପଡ଼ା ଆସନ ଛଡ଼ାଇ ଆଣିଛି। ମୋହନଙ୍କ ସଫଳ ରାଜନୈତିକ ଗୋଟି ଚାଳନା ଯୋଗୁଁ ଏହି ଉପନିର୍ବାଚନରେ ବିଜୟ ହାସଲ କରିଛି ବିଜେପି। ଏହାସହ ବିଧାନସଭାରେ ବିଜେପି ସଦସ୍ୟ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି।
ନିର୍ବାଚନରେ ୫୮.୨୭% ଭୋଟ ପାଇଥିବା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୮୩, ୭୪୮ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ଘାସିରାମ ମାଝୀଙ୍କୁ ପରାସ୍ତ କରିଛନ୍ତି। ଏହି ନିର୍ବାଚନ ଫଳାଫଳ ରାଜ୍ୟ ରାଜନୀତି ଉପରେ ଦୀର୍ଘମିଆଦି ପ୍ରଭାବ ପକାଇବାକୁ ଯାଉଛି। ପ୍ରଥମ ଦିନରୁ ହିଁ ନିଜେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନୂଆପଡ଼ା ଉପ ନିର୍ବାଚନର ମଙ୍ଗ ଧରିଥିଲେ। ପ୍ରାର୍ଥୀ ମନୋନୟନରୁ ଆରମ୍ଭ କରି ନିର୍ବାଚନ ପରିଚାଳନା କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଗତ ଅକ୍ଟୋବର ୪ରେ ସେ ଜୟଙ୍କୁ ପ୍ରାର୍ଥୀ କରିବା ନିମନ୍ତେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସହ ଦିଲ୍ଲୀରେ ଆଲୋଚନା କରିବା ପରେ ବିଜେଡିରୁ ବିଜେପିକୁ ଜୟଙ୍କ ପ୍ରବେଶ ବାଟ ଫିଟିଥିଲା। ଅକ୍ଟୋବର ୬ରେ ନିର୍ବାଚନ ଘୋଷଣା ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜେ ନୂଆପଡ଼ା ଯାଇ ୧୧୦୧ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଘୋଷଣା କରିଥିଲେ। ତତ୍ସଙ୍ଗେ ଖରିଆର ରୋଡ଼ ଏନଏସିକୁ ମ୍ୟୁନିସିପାଲିଟି ମାନ୍ୟତା ଦେବା ସହ ସିନାପାଲି ଓ କୋମନାକୁ ଏନଏସି ଘୋଷଣା କରିଥିଲେ।
Powered by Froala Editor