ପାହାଡ଼ିଆ ଅଞ୍ଚଳରେ ବଢ଼ୁଛି ଶୀତ
ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟକୁ ଶୀତ ବିଳମ୍ବରେ ଆସିଛି। କାର୍ତ୍ତିକ ମାସରେ ଶୀତ ଅନୁଭୂତ ହେଲା ନାହିଁ। ଗତ କିଛିଦିନ ହେଲା ରାଜ୍ୟ ମଧ୍ୟକୁ ଶୁଷ୍କ ଥଣ୍ଡା ବାୟୁ ପ୍ରବେଶ କରୁଥିବାରୁ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଛି। ଫଳସ୍ବରୂପ ସାରା ରାଜ୍ୟରେ ଶୀତ ପ୍ରକୋପ ଅନୁଭୂତ ହେଉଛି। କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି, ଘୁ.ଉଦୟଗିରି ଏବଂ ଫୁଲବାଣୀ ଅଞ୍ଚଳରେ ଜାଡ଼ ଥରାଉଛି।
୪ଟି ସ୍ଥାନରେ ରାତି ତାପମାତ୍ରା ୧୦ଡିଗ୍ରୀ ତଳକୁ ଖସିଥିବା ବେଳେ ୯ଟି ଅଞ୍ଚଳରେ ପାରଦ ୧୨ଡିଗ୍ରୀ ତଳେ ରହିଛି। ପାହାଡ଼ିଆ ଏବଂ ସମତଳ ଅଞ୍ଚଳଗୁଡ଼ିକରେ ଶୀତ ବଢ଼ୁଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୩ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ୩ଦିନ ପରେ ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି।
ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୭.୧ଡିଗ୍ରୀ ଥିବାବେଳେ ଘୁ. ଉଦୟଗିରିରେ ୭.୪, ଦାରିଙ୍ଗବାଡ଼ିରେ ୭.୫, ଫୁଲବାଣୀରେ ୮.୫, ଝାରସୁଗୁଡ଼ାରେ ୧୦.୯, ରାଉରକେଲାରେ ୧୧.୧, ଚିପିଲିମାରେ ୧୧.୨, କିରେଇରେ ୧୧.୫, ଭବାନୀପାଟଣାରେ ୧୧.୫ ଏବଂ ଅନୁଗୋଳରେ ୧୨ ଡିଗ୍ରୀ ରହିଛି। େଦ୍ବୖତନଗରୀ ଭୁବନେଶ୍ବର ଓ କଟକରେ ୧୫ଡ଼ିଗ୍ରୀ ତଳେ ରାତି ତାପମାତ୍ରା ପହଞ୍ଚିଛି। କଟକରେ ୧୪.୬ ଡିଗ୍ରୀ ଥିବାବେଳେ ଭୁବନେଶ୍ୱରରେ ତାପମାତ୍ରା ୧୪.୧ ଡିଗ୍ରୀକୁ ଖସି ଆସିଛି। କଟକ ଏବଂ ଭୁବନେଶ୍ବରରେ ଶୀତ ଅନୁଭୂତ ହେଉଛି।
ଗତ କିଛିଦିନ ହେଲା ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ କ୍ରମାଗତ ଭାବେ ରାତି ତାପମାତ୍ରା ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଥଣ୍ଡା ବୃଦ୍ଧି ପାଉଥିବାରୁ ପର୍ଯ୍ୟଟକଙ୍କ ଆଗମନ ବଢ଼ିଲାଣି। ଥଣ୍ଡା ଓ ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଜାଳୁଛନ୍ତି। ଏଥିସହିତ ଝାରସୁଗୁଡ଼ା, ଅନୁଗୋଳ, କେନ୍ଦୁଝର, କଳାହାଣ୍ଡି, ବଲାଙ୍ଗିର, ନବରଙ୍ଗପୁର, ଢେଙ୍କାନାଳ, ଭଦ୍ରକ ଏବଂ ସୁନ୍ଦରଗଡ଼ ଆଦି ଜିଲାର ବିଭିନ୍ନ ଅଞ୍ଚଳରେ ଶୀତ ପ୍ରକୋପ ବୃଦ୍ଧି ପାଉଛି।
Powered by Froala Editor