ମନ୍ଥା ପାଇଁ କଳିଙ୍ଗା ଘାଟିକୁ ସମ୍ପୂର୍ଣ୍ଣ ସିଲ୍
ଫୁଲବାଣୀ: ସମ୍ଭାବ୍ୟ ବାତ୍ୟା ମନ୍ଥା ଲାଗି କନ୍ଧମାଳ ଜିଲାକୁ ଲାଲ ସତର୍କତା ଜାରି କରାଯାଇଛି। ସୋମବାର ଅପରାହ୍ନରୁ ଜିଲାର ପ୍ରାୟ ସମସ୍ତ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ସମ୍ଭାବ୍ୟ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଜିଲାପାଳଙ୍କ ନିର୍ଦେଶ କ୍ରମେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ କଳିଙ୍ଗା ଘାଟିକୁ ସମ୍ପୂର୍ଣ୍ଣ ସିଲ୍ କରିଦିଆଯାଇଛି। ବିପଦସଙ୍କୁଳ ଅବସ୍ଥାରେ ଥିବା ଭୂସ୍ଖଳନ ସ୍ଥାନରେ ପୁଣି ଭୂସ୍ଖଳନ ଆଶଙ୍କା ସହ ଅନ୍ୟସ୍ଥାନରେ ମଧ୍ୟ ଅନୁରୂପ ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ କଳିଙ୍ଗା ପୂର୍ତ୍ତ ବିଭାଗ ଡାକବଙ୍ଗଳା ନିକଟରୁ ଘାଟି ଉପରକୁ ଚଳାଚଳକୁ ଆସନ୍ତା ୩୦ ତାରିଖ ଯାଏ ବନ୍ଦ କରିଦିଆଯାଇଛି।
ସ୍ଥିତି ମୁକାବିଲା ପାଇଁ ଜିଲାରେ ଏନଡିଆରଏଫର ଗୋଟିଏ ଓ ଓଡିଆରଏଫର ୩ ଦଳ ମୁତୟନ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ୪୧ଟି ଅସ୍ଥାୟୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ଖୋଲାଯାଇଛି। ଆବଶ୍ୟକ ସ୍ଥଳେ ଏଠାକୁ ସ୍ଥାନାନ୍ତର ପାଇଁ ୧୧୦୦ ଲୋକଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ସୋମବାର ସନ୍ଧ୍ୟା ସୁଦ୍ଧା ୫୦ ଜଣ ଗର୍ଭବତୀ ଓ ଆସନ୍ନ ପ୍ରସବାଙ୍କୁ ବିଭିନ୍ନ ମା’ ଗୃହକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୫୯ ଜଣଙ୍କୁ ଆଜି ସୁଦ୍ଧା ସ୍ଥାନାନ୍ତର କରାଯିବ ବୋଲି ଅତିରିକ୍ତ ଜିଲାପାଳ କୁଶଳ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି। ସେହିଭଳି କନ୍ଧମାଳ ଜିଲାକୁ ଯୋଗାଯୋଗ କରୁଥିବା ଅନ୍ୟ ସମସ୍ତ ଘାଟି ଉପରେ ମଧ୍ୟ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି।
Powered by Froala Editor