‘ମନ୍ଥା’: ଏହି ୮ଟି ଜିଲ୍ଲାରେ ବାତ୍ୟା ଭୟ
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ମନ୍ଥା’ର ମୁକାବିଲା ପାଇଁ ଉଭୟ ସରକାର ଓ ଜନସାଧାରଣ ପ୍ରସ୍ତୁତି ଚଳାଇଛନ୍ତି। ବାତ୍ୟା ପରିପ୍ରେକ୍ଷୀରେ ରାଜ୍ୟ ସରକାର ବିଭିନ୍ନ ବିଭାଗକୁ ପ୍ରସ୍ତୁତ ରହିବା ପାଇଁ ନିର୍ଦେଶ ଦେଇଛନ୍ତି। ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି)ଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଜଳ ସମ୍ପଦ ବିଭାଗ ୧୪ଟି ଜିଲାରେ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରି ସତର୍କ ଓ ପ୍ରସ୍ତୁତ ରହିବାକୁ କହିଛି। ୯ଟି ଜିଲା ପ୍ରଶାସନିକ କର୍ମଚାରୀଙ୍କ ଛୁଟି ବାତିଲ କରିଛି। କୋରାପୁଟ, ମାଲକାନଗିରି, ଗଞ୍ଜାମ ଏବଂ ଗଜପତି ଜିଲା ପ୍ରଶାସନ ୩୦ତାରିଖ ପର୍ଯ୍ୟନ୍ତ ଅଙ୍ଗନବାଡ଼ି, ବିଦ୍ୟାଳୟ ଛୁଟି ଘୋଷଣା ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରିଛି। ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଜିଲାଗୁଡ଼ିକରେ ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମ ଦଳ ନିୟୋଜିତ ହୋଇଥିବା ବେଳେ ସୋମବାର ସନ୍ଧ୍ୟା ୫ଟା ସୁଦ୍ଧା ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କାମ ଶେଷ କରିବା ପାଇଁ ଜିଲାପାଳମାନଙ୍କୁ ଏସ୍ଆରସି ନିର୍ଦେଶ ଦେଇଛନ୍ତି।
ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲାଗୁଡ଼ିକରେ ପରିସ୍ଥିତି ସ୍ବାଭାବିକ ହେବା ଯାଏ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ତେବେ ରେଡ୍ ଜୋନରେ ଥିବା ୮ଟି ଜିଲାରେ
୨୮ ଏବଂ ୨୯ତାରିଖରେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ବାକି ଜିଲାରେ ପରିସ୍ଥିତି ଦେଖି ଜିଲାପାଳ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବା ଉପରେ ନିଷ୍ପତ୍ତି ନେବେ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜିଲାପାଳମାନଙ୍କୁ କୁହାଯାଇଛି। ଏଥିସହ ସମ୍ପୃକ୍ତ ଜିଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିବା ସହ ସମସ୍ତ ସ୍କୁଲ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ କନ୍ଧମାଳରେ ବର୍ଷା ପ୍ରଭାବ ଅଧିକ ରହିବ। ଏହି ୮ଟି ଜିଲାକୁ ରେଡ୍ ଜୋନ୍ରେ ରଖାଯାଇଛି। ଏସବୁ ଜିଲାରେ ବାତ୍ୟା ଓ ବର୍ଷା ମୁକାବିଲା ପ୍ରସ୍ତୁତି ଜାରି ରହିଛି। ସେହିପରି ଅନ୍ୟ ଜିଲାରେ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ଖୋର୍ଦ୍ଧା, ପୁରୀ, ନୟାଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲାକୁ ସତର୍କ କରାଯାଇଛି। ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବିଭାଗ ସହ ଆଲୋଚନା କରାଯାଇଛି। ଆବଶ୍ୟକ ପଡ଼ିଲେ ପଡ଼ୋଶୀ ଜିଲାକୁ ସହାୟତା କରିବା ପାଇଁ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ଗଜପତି ଜିଲାରେ ଭୂସ୍ଖଳନର ଆଶଙ୍କା ଥିବାରୁ ସେଠାରେ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଓ ଅଗ୍ନିଶମ ବାହିନୀକୁ ଆଗୁଆ ମୁତୟନ କରାଯାଇଛି। ଆବଶ୍ୟକ ପଡ଼ିଲେ ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଉଦ୍ଧାକରକାରୀ ଦଳ ପଠାଯିବ। ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଶକ୍ତି ବିଭାଗ ସହ ଆଲୋଚନା ହୋଇଛି। ଡାକ୍ତରଖାନା, ଜରୁରୀ ସେବା, ପାନୀୟ ଜଳ ଯୋଗାଇଦେବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି। ବୟସ୍କ, ଶିଶୁଙ୍କୁ ଆଗୁଆ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଆସନ୍ନ ପ୍ରସବାଙ୍କୁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯିବାର ବ୍ୟବସ୍ଥା ହୋଇଛି। ବର୍ତ୍ତମାନ ସୁଦ୍ଧା ୧୨୮ଟି ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଓ ଅଗ୍ନିଶମ ବାହିନୀ ଦଳଗୁଡ଼ିକୁ ୮ଟି ଜିଲାରେ ମୁତୟନ କରାଯାଇଛି। ପୁରୀ ଓ ଖୋର୍ଦ୍ଧା ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।
Powered by Froala Editor