ନଭେମ୍ବର ୧ରୁ ଖୋଲିବ କୁଲଡିହା ଅଭୟାରଣ୍ୟ, ବିକାଶମୂଳକ କାର୍ଯ୍ୟ ହାତକୁ ନେଉନି ବନବିଭାଗ
ନୀଳଗିରି: ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ନଭେମ୍ବର ୧ରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବାଲେଶ୍ବର ଜିଲାର କୁଲଡିହା ଅଭୟାରଣ୍ୟ ଖୋଲିବ। ଏ ନେଇ ବନ ବିଭାଗ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ସରିଛି। ମାତ୍ର କୁଲଡିହାରେ ପର୍ଯ୍ୟଟକଙ୍କ ପାଇଁ କୌଣସି ବିକାଶମୂଳକ କାର୍ଯ୍ୟ ବନବିଭାଗ ହାତକୁ ନେଉ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଠାରେ ୨୭୨.୭୫ବର୍ଗ କିମି ପରିବ୍ୟାପ୍ତ ଘଞ୍ଚ ଶାଳବଣର ସବୁଜିମା, ପକ୍ଷୀଙ୍କ କଳରବ ପର୍ଯ୍ୟଟକଙ୍କୁ ବିଭୋର କରିଥାଏ। ଏଥିପାଇଁ ଓଡ଼ିଶା ସମେତ ପଶ୍ଚିମବଙ୍ଗର ବହୁ ସଂଖ୍ୟକ ପର୍ଯ୍ୟଟକ କୁଲଡିହାକୁ ଧାଇଁ ଆସିଥାନ୍ତି।
ସେହିପରି ଅଭୟାରଣ୍ୟ ଭିତରେ ଥିବା ଏଫ୍ଆରଏଚଟି ମରାମତି ଅଭାବରୁ ଜରାଜୀର୍ଣ୍ଣ ପାଲଟି ଯାଇଛି। ପ୍ରାୟ ୫୦/୬୦ ବର୍ଷ ତଳୁ ନିର୍ମାଣ ହୋଇଥିବା ଏହି ଏଫ୍ଆରଏଚଟି ଦୁର୍ବଳ ହୋଇ ଛାତରୁ ସିମେଣ୍ଟ ଫଡ଼ା ଝଡ଼ି ପଡୁଥିବାବେଳେ କାନ୍ଥ ଫୁଲି ଯାଇଛି। ଏଠାରେ ନୂତନ ଏଫ୍ଆରଏଚ ନିର୍ମାଣ ନହେଲେ ଅତିଥିମାନଙ୍କ ପ୍ରତି ବିପଦ ରହିଛି। ଗୋହିରାଭୋଳଠାରେ ଥିବା ପ୍ରକୃତି ନିବାସରେ ତମ୍ବୁ ଗୁଡ଼ିକ ଛିଣ୍ଡି ଯିବା ସହ ଆସବାବପତ୍ରରେ ଉଇ ଲାଗି ନଷ୍ଟ ହୋଇଯାଇଛି। ସୋଲାର ସିଷ୍ଟମ ଅଚଳ ଯୋଗୁଁ ଏଠାରେ ଆଲୁଅ ବ୍ୟବସ୍ଥା ହୋଇ ପାରୁନି। ବୋଟିଂ ବ୍ୟବସ୍ଥା ମଧ୍ୟ ବନ୍ଦ ହୋଇ ପଡ଼ିଛି। ପର୍ଯ୍ୟଟକ ୱେବସାଇଟରୁ ୩୭ ଶହ ଟଙ୍କା ଖର୍ଚ୍ଚାନ୍ତ ହୋଇ ଏଠାକୁ ଆସିବାକୁ ଯୋଜନା କରୁଥିବାବେଳେ ବନବିଭାଗ ସେମାନଙ୍କ ପାଇଁ କୌଣସି ସୁବ୍ୟବସ୍ଥା କରୁନାହିଁ। ଯାହା ଫଳରେ କେବଳ ଗଛ ଲତା ଦେଖି ପର୍ଯ୍ୟଟକ ଏଠାରୁ ଫେରିବାକୁ ବାଧ୍ୟ ହେବା ସାର ହେବ। ବନବିଭାଗ କୁଲଡିହା ବିକାଶ ଦିଗରେ ଦୃଷ୍ଟି ଦେଉ ନଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି।
Powered by Froala Editor