୩.୨୭ କେଜି ମାରିଜୁଆନା ଜବତ, ଜଣେ ଗିରଫ
ଭୁବନେଶ୍ୱର : ଶନିବାର ତଦନ୍ତକାରୀ ସଂସ୍ଥା ବିମାନ ବନ୍ଦରରେ ଜଣେ ଯାତ୍ରୀ ନିକଟରୁ ୩.୨୭ କେଜି ଓଜନର ମାରିଜୁଆନା ଜବତ କରିଛି। ଜବତ ମାରିଜୁଆନାର ମୂଲ୍ୟ ୩ କୋଟି ୨୭ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ସମ୍ପୃକ୍ତ ଯାତ୍ରୀକୁ ଗିରଫ କରାଯାଇଛି। ଗିରଫ ଯାତ୍ରୀଙ୍କ ନାମ ମହମ୍ମଦ ନାବେଲ ଓ ଘର କେରଳରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବ୍ୟାଙ୍କକରୁ ମାରିଜୁଆନା ନେଇ ସମ୍ପୃକ୍ତ ଯାତ୍ରୀ ଭୁବନେଶ୍ବର ଆସିଥିଲା। ସନ୍ଦେହ ହେବାରୁ ବିମାନ ବନ୍ଦରରେ ସୀମାଶୁଳ୍କ ବିଭାଗ ତାକୁ ଯାଞ୍ଚ କରିଥିଲା। ତା’ ପାଖରୁ ୮ଟି ପ୍ୟାକେଟ୍ରେ ଥିବା ମାରିଜୁଆନା ବାହାରିବା ପରେ ଅଭିଯୁକ୍ତକୁ ସୀମାଶୁଳ୍କ ବିଭାଗ ନିଜ ହେପାଜତକୁ ନେଇ ଜେରା ଚଳାଇଛି। ଅନ୍ତର୍ଜାତୀୟ ନିଶା କାରବାର ରାକେଟକୁ ଧରିବା ସୀମାଶୁଳ୍କ ବିଭାଗ ଓ ଡିଆର୍ଆଇ ପାଇଁ ଏବେ ଆହ୍ବାନ ହୋଇଛି। ଭୁବନେଶ୍ବର ବିମାନ ବନ୍ଦର ଦେଇ ଥାଇଲାଣ୍ଡରୁ ମାରିଜୁଆନା, ନେଦରଲ୍ୟାଣ୍ଡରୁ ସିନ୍ଥେଟିକ୍ ନିଶା ଅଧିକ ମାତ୍ରାରେ କାରବାର ହେଉଛି। ବିଭିନ୍ନ ସମୟରେ ବିମାନ ବନ୍ଦରରୁ ଏଭଳି ନିଶାଦ୍ରବ୍ୟକୁ ସୀମାଶୁଳ୍କ (କଷ୍ଟମ) ବିଭାଗ, ରାଜସ୍ବ ଗୁଇନ୍ଦା ନିର୍ଦେଶାଳୟ (ଡିଆର୍ଆଇ) ଜବତ କରିବା ଦେଖାଯାଉଛି। ରାକେଟର ମାଷ୍ଟରମାଇଣ୍ଡ କେଜି ପିଛା ୨୦ ହଜାର ଟଙ୍କା ଦେଇ ଚାଲାଣକାରୀଙ୍କ ହାତରେ ପଠାଉଛି।
Powered by Froala Editor