ଲଘୁଚାପ କ୍ଷେତ୍ର ସୃଷ୍ଟି: ୩ ପର୍ଯ୍ୟନ୍ତ ତୁହାକୁ ତୁହା ବର୍ଷା

ଭୁବନେଶ୍ବର : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ପରବର୍ତ୍ତୀ ସମୟରେ ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ପରେ ଅଧିକ ଘନୀଭୂତ ହୋଇ ଅକ୍ଟୋବର ୨ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହେବ। ସମ୍ଭାବ୍ୟ ଅବପାତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଆସନ୍ତା ୩ତାରିଖ ସକାଳ ବେଳକୁ ଦକ୍ଷିଣ-ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ ତାରିଖ ପର୍ଯ୍ୟନ୍ତ ତୁହାକୁ ତୁହା ବର୍ଷା ଲାଗି ରହିବ। ବିଶେଷ କରି ଦକ୍ଷିଣ ଓଡ଼ିଶାର ଜିଲାଗୁଡିକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ଆସନ୍ତା ୨୪ଘଣ୍ଟା ମଧ୍ୟରେ ପୁରୀ, ଖୋର୍ଦ୍ଧା, ନୟାଗଡ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ ବିଜୁଳି ଘଡଘଡି ସହ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ସମୁଦ୍ର ଅଶାନ୍ତ କାରଣରୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀ ସମୁଦ୍ର ନଯିବାକୁ ପରାମର୍ଶ ଦିଆଯାଇଛି।
Powered by Froala Editor