ହୀରାକୁଦରୁ ୨୦ଟି ଫାଟକ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ, ମୁଣ୍ଡଳିରେ ଶୀର୍ଷ ଛୁଇଁଲା ବନ୍ୟାଜଳ

ଭୁବନେଶ୍ୱର : ହୀରାକୁଦ ଜଳ ଭଣ୍ଡାରରୁ ୨୦ଟି ଫାଟକ ଦେଇ ନିଷ୍କାସିତ ବନ୍ୟାଜଳ ଶନିବାର ମୁଣ୍ଡଳିରେ ଶୀର୍ଷ ଛୁଇଁଛି। ଗତକାଲି ସନ୍ଧ୍ୟା ୬ଟା ବେଳକୁ ମୁଣ୍ଡଳିରେ ବନ୍ୟାପାଣି ୫.୭୩ ଲକ୍ଷ କ୍ୟୁସେକ୍ ପ୍ରବାହିତ ହେଉଥିବା ବେଳେ ଶନିବାର ରାତି ୯.୩୦ ସୁଦ୍ଧା ତାହା ବୃଦ୍ଧି ପାଇ ୫ଲକ୍ଷ ୯୨ ହଜାର ୨୫୫ କ୍ୟୁସେକ୍ରେ ପହଞ୍ଚିଛି। ହୀରାକୁଦ ଉପରମୁଣ୍ଡରେ ଅତି ପ୍ରବଳ ବର୍ଷା ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଅବପାତଜନିତ ବର୍ଷା ହୋଇଥିଲେ ବି ମହାନଦୀ ଅବବାହିକାରେ ବନ୍ୟା ଆସିବା ସମ୍ଭାବନା ନାହିଁ। ମହାନଦୀ ଜଳସ୍ତର ବଢ଼ିବ, ହେଲେ ବନ୍ୟା ପରିସ୍ଥିତି ଉପୁଜିବ ନାହିଁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି।
ଶ୍ରୀ ପାଢ଼ୀ କହିଛନ୍ତି, ଗତକାଲି ୪୯ଟି ବ୍ଲକ ମୁଖ୍ୟାଳୟରେ ୫୦ଏମ୍ଏମ୍ ବର୍ଷା ହୋଇଛି। କାଲିମେଳା ବ୍ଲକରେ ସବୁଠୁ ଅଧିକ ୧୦୦ଏମ୍ଏମ୍ ବର୍ଷା ହୋଇଛି। ବର୍ଷା ଯୋଗୁଁ ଜଳସ୍ତର ବଢୁଛି, ହେଲେ ବିପଦସଙ୍କେତ ଉପରେ ନାହିଁ। ଯେହେତୁ ଜଳସ୍ତର ବଢୁଛି, ମହାନଦୀର ଶାଖା କାଠଯୋଡ଼ି, ବିରୂପା, କୁଶଭଦ୍ରା, ଦୟା, ଭାର୍ଗବୀ, ଲୁଣା, ଦେବୀ, ପାଇକା, ଚିେତ୍ରାତ୍ପଳା ପାଇଁ ସତର୍କତା ରହିଛି। ସେହିଭଳି ବଂଶଧାରା ଓ ଋଷିକୂଲ୍ୟାରେ ଜଳସ୍ତର ବଢୁଛି, ହେଲେ ବିପଦସଙ୍କେତ ତଳେ ଅଛି। ହୀରାକୁଦର ସର୍ବୋଚ୍ଚ ଜଳସ୍ତର ୬୩୦ ଫୁଟ୍ ରହିଛି। ଶନିବାର ରାତି ୯.୩୦ ସୁଦ୍ଧା ୬୨୮. ୦୪ ଫୁଟ ପାଣି ଅଛି। ୨୦ଟି ଫାଟକ ମଧ୍ୟରୁ ତିନୋଟି ପର୍ଯ୍ୟାୟରେ ୧୪ଟି ଫାଟକ ବନ୍ଦ କରାଯାଇଛି। ଉପରମୁଣ୍ଡରୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୩୦ ହଜାର ୭୩୯ କ୍ୟୁସେକ୍ ଜଳ ହୀରାକୁଦ ଜଳ ଭଣ୍ଡାରକୁ ପ୍ରବେଶ କରୁଥିବାବେଳେ ୬ଟି ଫାଟକ, ପାୱାର ଚ୍ୟାନେଲ ଏବଂ କେନାଲ ଦେଇ ୧ ଲକ୍ଷ ୩୫ ହଜାର ୪୪୩ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ତଳମୁଣ୍ଡ ସ୍ଥିତି ଦେଖି ଫାଟକ ବନ୍ଦ ଉପରେ ନିଷ୍ପତ୍ତି ନିଆଯାଇଛି। ଜିରା ନଦୀରେ ବର୍ଷା ଯୋଗୁଁ ଖଇରମାଳ ଓ ମୁଣ୍ଡଳିରେ ଜଳ ବୃଦ୍ଧି ହେବ। ତେଲ ନଦୀରୁ ଅଧିକ ପାଣି ଆସିବ, ହେଲେ ଏହା ୬ ଲକ୍ଷ କ୍ୟୁସେକ୍ ତଳେ ରହିବ। ନଦୀରୁ ପାଣି କମିଲେ ତଳିଆ ଅଞ୍ଚଳରେ ପାଣି କମିଯିବ। ଖଇରମାଳରେ ପ୍ରତି ସେକେଣ୍ଡରେ ୪ ଲକ୍ଷ ୮୪ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ବରମୂଳରେ ୪.୭୬ ଲକ୍ଷ କ୍ୟୁସେକ୍ ଏବଂ ମୁଣ୍ଡଳିରେ ୫ଲକ୍ଷ ୯୨ ହଜାର ୨୫୫ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି।
Powered by Froala Editor