ବିମାନ ଚକରେ କାବୁଲରୁ ନୂଆଦିଲ୍ଲୀ ଆସିଲା ୧୩ ବର୍ଷର ବାଳକ
ଆଫଗାନିସ୍ତାନର ଜଣେ ୧୩ ବର୍ଷୀୟ ବାଳକ ଏକ ବିପଜ୍ଜନକ ଏବଂ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛି। ବାଳକଟି ବିମାନ ଚକରେ ଆଫଗାନିସ୍ତାନର କାବୁଲରୁ ୯୪ ମିନିଟ ଧରି ଯାତ୍ରା କରି ନୂଆଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛି। ଉଚ୍ଚ ଆକାଶରେ ଅମ୍ଳଜାନର ଅଭାବ ଏବଂ ପ୍ରବଳ ଥଣ୍ଡା ସତ୍ବେ ବାଳକ ଜୀବିତ ଅବସ୍ଥାରେ ନୂଆଦିଲ୍ଲୀରେ ପହଞ୍ଚିବା ସମସ୍ତଙ୍କୁ ଚକ୍କିତ କରିଛି।
ଏହି ଘଟଣା ରବିବାର ଆଫଗାନିସ୍ତାନ ବିମାନ କମ୍ପାନୀ KAM ଏୟାରର ବିମାନ ନମ୍ବର RQ4401 ରେ ଘଟିଥିଲା। ଏୟାରବସ୍ A340 ବିମାନଟି ସକାଳ ୮ଟା ୪୬ ରେ କାବୁଲରୁ ଉଡ଼ାଣ କରିଥିଲା ଏବଂ ପ୍ରାୟ ୧୦ ଟା ୨୦ ରେ ଦିଲ୍ଲୀରେ ପହଞ୍ଚିଥିଲା। ଯାତ୍ରୀମାନେ ଓହ୍ଲାଇବା ପରେ, ବିମାନଟି ଟ୍ୟାକ୍ସିୱେରେ ପାର୍କିଂ ହୋଇଥିବା ସମୟରେ, ଜଣେ ଗ୍ରାଉଣ୍ଡ ଷ୍ଟାଫ୍ ସଦସ୍ୟ ବିମାନ ପାଖରେ ଏକ ବାଳକକୁ ବୁଲୁଥିବାର ଦେଖିଲେ। ସେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇଲେ। CISF କର୍ମଚାରୀମାନେ ବାଳକଟିକୁ ଧରି ବିମାନବନ୍ଦର ପୋଲିସକୁ ହସ୍ତାନ୍ତର କରିଥିଲେ। ପଚରାଉଚରା କରିବା ପରେ ବାଳକଟି କାବୁଲରୁ ବିମାନ ଚକରେ ଲୁଚି ନୂଆଦିଲ୍ଲୀ ଆସିଥିବା କହିଥିଲା। ସିଆଇଏସଏଫ ବାଳକଟିକୁ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରିଥିଲା। ପରବର୍ତ୍ତୀ ସମୟରେ ତା’କୁ କାବୁଲ ପଠାଇ ଦିଆଯାଇଥିଲା।
ସୁରକ୍ଷା ବିଶେଷଜ୍ଞମାନେ କହିଛନ୍ତି ଯେ ଏହିପରି ଭାବରେ ବିମାନରେ ଲୁଚି ରହିବା ଅତ୍ୟନ୍ତ ବିପଦପୂର୍ଣ୍ଣ। ଅମ୍ଳଜାନ ଅଭାବରୁ ଜଣେ ବ୍ୟକ୍ତି କିଛି ମିନିଟ୍ ମଧ୍ୟରେ ଅଚେତ ହୋଇପାରନ୍ତି କିମ୍ବା ମୃତ୍ୟୁବରଣ କରିପାରନ୍ତି। ୧୦,୦୦୦ ଫୁଟ ଉପରେ ଅମ୍ଳଜାନ ସ୍ତର ବହୁତ କମ୍।
Powered by Froala Editor