ପଟ୍ଟାମୁଣ୍ଡାଇ ଯୁବତୀ ଜଳିଯିବା ଘଟଣା: ଡିସେମ୍ବର ୨ ସୁଦ୍ଧା ରିପୋର୍ଟ ଦେବାକୁ ଏସ୍ପିଙ୍କୁ ନିର୍ଦେଶ ଦେଲେ ରାଜ୍ୟ ମାନବାଧିକାର ଆୟୋଗ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ କାଠିଆପଡ଼ା ଗ୍ରାମରେ ଛାତ୍ରୀ ଜଳିଯିବା ଘଟଣାର ସବିଶେଷ ରିପୋର୍ଟ ଦେବାକୁ ରାଜ୍ୟ ମାନବାଧିକାର ଆୟୋଗ କେନ୍ଦ୍ରାପଡ଼ା ଏସ୍ପିଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ନିର୍ଦେଶରେ ଉଲ୍ଲେଖ କରାଯାଇଛି, ଛାତ୍ରୀ ଜଣକ ଯେଉଁ ଯୁବକଙ୍କ ବିରୋଧରେ ଥାନାରେ ନିର୍ଯାତନା ଅଭିଯୋଗ ଆଣିଥିଲେ ତାଙ୍କ ବାପା ଗଣେଶ୍ୱର ବେହେରାଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଥିଲା। ଫଳରେ ଗଣେଶ୍ୱର ବେହେରା ଏ ନେଇ ରାଜ୍ୟ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ। ଗଣେଶ୍ୱରଙ୍କ ଆବେଦନର ଶୁଣାଣି କରି ଆୟୋଗ ଏସପି୍ଙ୍କୁ ଉପରୋକ୍ତ ନିର୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, କାଠିଆପଡ଼ା ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବତୀ ଜଳିଯାଇ ପ୍ରାଣ ହରାଇଥିଲେ। ଯୁବତୀ ଜଣକ ପୂର୍ବରୁ ଏହି ଥାନା ଅଧୀନ ବିଲିକଣା ପଞ୍ଚାୟତ ତେରୋଇ ଗ୍ରାମର ଯୁବକ ପ୍ରମୋଦ ବେହେରାଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହାପରେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ଯୁବତୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ପ୍ରମୋଦ ଓ ତାଙ୍କ ବାପା ଗଣେଶ୍ୱରଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ପୁଲିସ ପ୍ରମୋଦଙ୍କୁ ଗିରଫ କରି ଜେଲ ପଠାଇଥିଲା। ହେଲେ ପ୍ରମୋଦଙ୍କ ବାପା ଗଣେଶ୍ବରଙ୍କର ଏଥିରେ କ’ଣ ଭୁଲ ରହିଛି ବୋଲି ସେ ମାନବାଧିକାର ଆୟୋଗରେ ଆବେଦନ କରିଥିଲେ। ଏହି ଆବେଦନର ବିଚାର କରି ମାନବାଧିକାର ଆୟୋଗ ଆସନ୍ତା ଡିସେମ୍ବର ୨ ତାରିଖ ସୁଦ୍ଧା ସବିଶେଷ ତଥ୍ୟ ଦାଖଲ କରିବାକୁ ଏସ୍ପିଙ୍କୁ ନିର୍ଦେଶ ଦେଇଛନ୍ତି।
Powered by Froala Editor