ଜୋରରେ ୪୪ ମଇଁଷିଙ୍କ ମୃତ୍ୟୁ ଘଟଣା: ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲେ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ
ଆଳି: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଏକମାଣିଆ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ଜୋରରେ ୪୪ ମଇଁଷିଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ନିଖୋଜ ହୋଇଯାଇଥିଲେ। ଶ୍ବାସରୁଦ୍ଧ ହୋଇ ୪୪ଟି ମଇଁଷିଙ୍କ ମୃତ୍ୟୁ ଘଟିଥିବା ନମୁନା ରିପୋର୍ଟରୁ ଜଣାପଡ଼ିଛି ବୋଲି ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ମନୋଜ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନୁରୂପ ଭାବେ ୪ଟି ମଇଁଷିଙ୍କ ବ୍ୟବଚ୍ଛେଦ ରିପୋର୍ଟରୁ ମଧ୍ୟ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ସେ ସ୍ପଷ୍ଟ କରିଛନ୍ତି।
ଗତ ମାସ ୧୭ ତାରିଖରେ ଏହି ଘଟଣା ଘଟିଥିଲା। ମଇଁଷିପଲ ନଦୀପଠାକୁ ଚରିବାକୁ ଯାଉଥିବାବେଳେ କୁମ୍ଭୀର ଆକ୍ରମଣ କରିବାରୁ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ୭୨ ମଇଁଷି ପାଣିରେ ବୁଡ଼ି ମୃତ୍ୟୁ ଘଟିଥିବା ମଇଁଷିପାଳକ ଅଭିଯୋଗ କରିଥିଲେ। ଘଟଣାର ପରଦିନ ରାଜ୍ୟ ସରକାରଙ୍କର ଏକ ବିଶେଷଜ୍ଞ ଦଳ ଓ ପ୍ରଶାସନିକ ଅଧିକାରୀମାନେ ଏକମାଣିଆଠାରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ।
ସେଠାରେ ୪ଟି ମଇଁଷିଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯିବା ସହ ମୃତ ମଇଁଷିଙ୍କ ଶରୀରର ବିଭିନ୍ନ ଅଂଶରୁ ନମୁନା ସଂଗ୍ରହ କରାଯାଇ କଲକାତାସ୍ଥିତ କେନ୍ଦ୍ରୀୟ ବିଷ ବିଜ୍ଞାନ ବା ତତ୍ତ୍ବ ଗବେଷଣା କେନ୍ଦ୍ରକୁ ପରୀକ୍ଷା ପାଇଁ ପଠାଯାଇଥିଲା।
Powered by Froala Editor