ପ୍ରଥମ ଥର : ଇଭିଏମ୍ରେ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ
ନିର୍ବାଚନ ଆୟୋଗ (ECI) ଇଭିଏମ ବାଲଟ ପେପର ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି। ଆଗାମୀ ବିହାର ବିଧାନସଭା ନିର୍ବାଚନରୁ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ ଇଭିଏମ୍ରେ ପ୍ରଥମ ଥର ପାଇଁ ପ୍ରିଣ୍ଟ ହେବ। ଫଟୋ ତିନି-ଚତୁର୍ଥାଂଶ ସ୍ଥାନରେ ରହିବ ଯାହା ଦ୍ୱାରା ପ୍ରାର୍ଥୀଙ୍କୁ ସ୍ପଷ୍ଟ ଚିହ୍ନିବା ସହଜ ହେବ। ଏହା ସହ ପ୍ରାର୍ଥୀଙ୍କ କ୍ରମିକ ସଂଖ୍ୟା ଓ ନୋଟା ୩୦ ଫଣ୍ଟ ସାଇଜରେ ବୋଲ୍ଡରେ ପ୍ରିଣ୍ଟ ହେବ। ବିହାର ନିର୍ବାଚନରୁ ଏହାର ଆରମ୍ଭ ହେବ।
ଏହି ପଦକ୍ଷେପ ନିର୍ବାଚନ ପ୍ରକ୍ରିୟାକୁ ଉନ୍ନତ କରିବା ଏବଂ ମତଦାତାଙ୍କ ସୁବିଧା ବଢ଼ାଇବା ପାଇଁ ନିଆଯାଇଛି। ECI ନିର୍ବାଚନ ସଂଚାଳନ ନିୟମ, ୧୯୬୧ର ନିୟମ ୪୯ବି ଅଧୀନରେ ବର୍ତ୍ତମାନର ନିର୍ଦ୍ଦେଶାବଳୀରେ ସଂଶୋଧନ କରାଯାଇଛି ।
ନିର୍ଦ୍ଦେଶାବଳୀରେ ସଂଶୋଧନ ପରେ ଇଭିଏମ ବାଲଟ ପେପରରେ ପ୍ରାର୍ଥୀମାନଙ୍କର ଫଟୋ ରଙ୍ଗୀନ ଛପାଯିବ। ପ୍ରାର୍ଥୀଙ୍କ ମୁହଁ ଫଟୋର ତିନି-ଚତୁର୍ଥାଂଶ ଅଂଶରେ ରହିବ, ଯାହା ସମ୍ପୂର୍ଣ୍ଣ ସ୍ପଷ୍ଟ ଦେଖାଯିବ ।
ସମସ୍ତ ପ୍ରାର୍ଥୀମାନଙ୍କ ଏବଂ ନୋଟାର ନାମ ଏକ ପ୍ରକାରର ଫଣ୍ଟ ଆକାରରେ ଛପାଯିବ ଯାହା ସହଜରେ ପଢ଼ାଯାଇ ପାରିବ। ଇଭିଏମ ବାଲଟ ପେପର ୭୦ ଜିଏସଏମ କାଗଜରେ ଛପାଯିବ। ବିଧାନସଭା ନିର୍ବାଚନ ପାଇଁ ଆରଜିବି ମୂଲ୍ୟ ସହିତ ଗୋଲାପି ରଙ୍ଗର କାଗଜର ବ୍ୟବହାର କରାଯିବ।
ଏହି ପରିବର୍ତ୍ତନ ଭୋଟରଙ୍କ ପାଇଁ ସ୍ପଷ୍ଟତା ବୃଦ୍ଧି ଓ ଭୋଟିଂ ପ୍ରକ୍ରିୟାକୁ ସରଳ କରିବ। ଏହା ପୂର୍ବରୁ ବିହାରର ସ୍ୱତନ୍ତ୍ର ନିର୍ବାଚନୀ ତାଲିକା ସଂଶୋଧନ (SIR) କାର୍ଯ୍ୟରେ ୬୫ ଲକ୍ଷ ନାମ ବାଦ ଦିଆଯାଇଥିବା ନେଇ ବିରୋଧୀ ଦଳ ସୁପ୍ରିମକୋର୍ଟରେ ଆପତ୍ତି ଉଠାଇଛନ୍ତି। ସୁପ୍ରିମକୋର୍ଟ ଅକ୍ଟୋବର ୭ରେ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।
Powered by Froala Editor