ମହାନଦୀରେ ଜଳସ୍ତର ବଢ଼ିବା ସମ୍ଭାବନା, ଆସିପାରେ ବନ୍ୟା
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଝାରସୁଗୁଡ଼ା, ଯାଜପୁର, ଦେବଗଡ଼, କେନ୍ଦୁଝର, ବାଲେଶ୍ବର ଏବଂ ସମ୍ବଲପୁର ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଏବଂ ଜଳକା ଫୁଲୁଛି। ଲଘୁଚାପ ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ଗତି କରିବା ସହିତ ମହାନଦୀ ଉପରମୁଣ୍ଡରେ ବର୍ଷା କାରଣରୁ ହୀରାକୁଦ ଜଳ ଭଣ୍ଡାରକୁ ପ୍ରବଳ ଜଳ ପ୍ରବେଶ କରୁଛି। ଏବେ ୧୬ଟି ଫାଟକ ଦେଇ ହୀରାକୁଦ ଜଳ ଭଣ୍ଡାରରୁ ଜଳ ନିଷ୍କାସିତ ହେଉଛି। ମହାନଦୀ ଜଳସ୍ତର ବଢ଼ିବା ସମ୍ଭାବନା ରହିଛି। ଫଳରେ ଏ ନେଇ ନଦୀକୁଳ ଜିଲାଗୁଡ଼ିକୁ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ପରାମର୍ଶ ଦିଆଯାଇଛି। ମହାନଦୀର ଉପର ମୁଣ୍ଡରେ ଥିବା ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଲଘୁଚାପ ଥିବାରୁ ଅଧିକ ବର୍ଷା ହେବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଫଳରେ ମହାନଦୀରେ ବନ୍ୟା ଆସିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ବୈତରଣୀ ଓ ବ୍ରାହ୍ମଣୀ କାରଣରୁ ଯାଜପୁର ଓ ଭଦ୍ରକରେ ଦ୍ବିତୀୟବାର ଏବଂ ସୁବର୍ଣ୍ଣରେଖା, ଜଳକା ବଢ଼ୁଥିବାରୁ ଉତ୍ତର ବାଲେଶ୍ବରରେ ୯ମ ଥର ବନ୍ୟା ଆସିବା ଆଶଙ୍କା ରହିଛି।
ଗତ ୨୪ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାର ଲଇକେରାରେ ସର୍ବାଧିକ ୨୧୨.୨ମି.ମି. ବର୍ଷା ହୋଇଛି। ଜିଲାର କିରିମରାରେ ୧୭୦.୩, କୋଲାବିରା ୧୬୩, ଲଖନପୁର ୧୪୩.୨ମି.ମି. ବର୍ଷା ହୋଇଛି। ଯାଜପୁର ଜିଲାର ସୁକିନ୍ଦାରେ ୧୮୪.୩ମି.ମି., ଦାନଗଦି ୧୫୮, ଚାନ୍ଦବାଲି ୧୪୭, ଯାଜପୁରରେ ୧୨୧ ମି.ମି. ବର୍ଷା ହୋଇଛି। ଦେବଗଡ଼ରେ ୧୪୫, କେନ୍ଦୁଝର ୧୩୧.୮, ବାଲେଶ୍ବର ଜିଲାର ଗୋବିନ୍ଦପୁର ୧୧୫, ଏବଂ ସମ୍ବଲପୁର ଜିଲାର କୁଚିଣ୍ଡାରେ ୧୧୪ମି.ମି. ବର୍ଷା ହୋଇଛି। ଆଜି ଭଦ୍ରକ, ଯାଜପୁର, ବାରିପଦା, ଝାରସୁୁଗୁଡ଼ା, ତାଳଚେର ଅଞ୍ଚଳରେ ବର୍ଷା ଦ୍ବାରା ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ବଢ଼ିବାରେ ଲାଗିଛି। ବୈତରଣୀ ଜଳସ୍ତର ଆଖୁଆପଦାରେ ବିପଦ ସଙ୍କେତ ଉପରେ, ଆନନ୍ଦପୁରରେ ବିପଦ ସଙ୍କେତ ନିକଟତର ହୋଇଛି।
Powered by Froala Editor