ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁଲଭ ମୂଲ୍ୟରେ ମିଳିବ ଖାଦ୍ୟ ଓ ପାନୀୟ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ ଯା’ଆସ କରୁଥିବା ଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ ମିଳିବ ଖାଦ୍ୟ, ପାନୀୟ। ସୋମବାର ଟର୍ମିନାଲ ମଧ୍ୟରେ ଶୁଭାରମ୍ଭ ହୋଇଥିବା ଉଡ଼ାନ୍ ଯାତ୍ରୀ କାଫେ’ରେ ଚା’, କଫି, ପାଣି ବୋତଲ, ସିଙ୍ଗଡ଼ା, ମିଠା ଭଳି ଜଳଖିଆ ମାତ୍ର ୧୦ରୁ ୨୦ ଟଙ୍କା ମଧ୍ୟରେ ମିଳିବ। ଏହା ପୂର୍ବରୁ କଲକାତା, ଚେନ୍ନଇ, ଅହମ୍ମଦାବାଦ ଓ ପୁନେ ବିମାନବନ୍ଦରରେ ଏହି କାଫେ ଖୋଲିଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡ଼ୁ ଏହାର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ନାଇଡ଼ୁ କହିଥିଲେ ଯେ ବିମାନରେ କେବଳ ଧନୀ ବର୍ଗର ଲୋକ ନୁହେଁ ସାଧାରଣ ଲୋକ ଯାତ୍ରା କରୁଛନ୍ତି। ବିମାନବନ୍ଦରରେ ମିଳୁଥିବା ଖାଦ୍ୟପେୟର
ମୂଲ୍ୟ ବହୁ ଗୁଣା ଅଧିକ ରହୁଥିବାରୁ ସାଧାରଣ ଯାତ୍ରୀ ଏଥିରୁ ବଞ୍ଚିତ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ପ୍ରମୁଖ ବିମାନବନ୍ଦରରେ ଉଡ଼ାନ ଯାତ୍ରୀ କାଫେ ଆରମ୍ଭ କରୁଛନ୍ତି ବୋଲି ସେ କହିଛନ୍ତି।
Powered by Froala Editor