୩ ବର୍ଷରେ ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ
ଓଡ଼ିଶାରେ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଆରୋପ କରିଛନ୍ତି। ଆସନ୍ତା ୩ ବର୍ଷରେ ରାଜ୍ୟରେ ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ । ୪୫ ହଜାର ଶିକ୍ଷକ ପଦବୀ ମଧ୍ୟରୁ ୪୦ ହଜାର ନୂତନ ପଦବୀ ସୃଷ୍ଟି ହେବ । ଜାତୀୟ ଶିକ୍ଷାନୀତି ଅନୁଯାୟୀ ପ୍ରାଥମିକ ଶିକ୍ଷା ନୀତିରେ ହେବ ବ୍ୟାପକ ପରିବର୍ତ୍ତନ । ସିମ୍ମାଟିକ୍ ପ୍ରାଥମିକ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଏଭଳି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୩୬ରେ ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରାଥମିକ ଶିକ୍ଷାର ଯଥେଷ୍ଟ ଗୁରୁତ୍ୱ ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଅଧିକ ଫୋକସ୍ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ଏହି ପରାମର୍ଶ ଦେବା ସହିତ ଅନେକ ନୂତନ ନିଷ୍ପତ୍ତି ନେଇଛନ୍ତି।
ସେହିପରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ମିଳିବ । BSE ଓ CHSE ମିଶିଯାଇ ଗୋଟିଏ ବୋର୍ଡ ଗଠନ କରାଯିବ । ଅର୍ଥାତ ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ମିଶି ଗୋଟିଏ ବୋର୍ଡ ଗଠନ ହେବ । ଆସନ୍ତା ଡିସେମ୍ବର ସୁଦ୍ଧା ୫୦୬୭ ଶିକ୍ଷକ ପଦବୀ ଖାଲି ହେବ । ୩ ବର୍ଷ ମଧ୍ୟରେ ୪୪,୪୩୩ଟି ଶିକ୍ଷକ ପଦବୀ ପୂରଣ ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ୪୫ ହଜାରରୁ ଅଧିକ ସ୍କୁଲରେ ୧, ୬୦, ୩୧୯ଟି ଶିକ୍ଷକ ପଦବୀ ରହିଛି ।
ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ଆବଶ୍ୟକତା ସହିତ ସ୍ୱାସ୍ଥ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ହଷ୍ଟେଲରେ ରହୁଥିବା ପିଲାମାନଙ୍କ ପାଇଁ ANM ନିଯୁକ୍ତ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପ୍ରତ୍ୟେକ ୩୦୦ ପିଲାଙ୍କ ପାଇଁ ଜଣେ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତ କରିବା ପାଇଁ ନିଷ୍ପତ୍ତି କରାଯାଇଛି। ସେହିପରି ନୂତନ ବେସରକାରୀ ବିଦ୍ୟାଳୟ ଅନୁମୋଦନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଅନଲାଇନ ପ୍ରକ୍ରିୟାରେ କରିବା ପାଇଁ ବୈଠକରେ ନିଷ୍ପତ୍ତି କରାଯାଇଛି।
Powered by Froala Editor