ମଇଁଷି ମୃତ୍ୟୁ ଘଟଣା: ହେଲା କ୍ଷତିପୂରଣ ଘୋଷଣା
ଆଳି: କେନ୍ଦ୍ରାପଡା ଆଳି ଏକମାଣିଆ ମଇଁଷି ମୃତ୍ୟୁ ଘଟଣାରେ କ୍ଷତିପୂରଣ ଘୋଷଣା ହୋଇଛି। ଏ ନେଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ମନୋଜ ପଟ୍ଟନାୟକ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅନ୍ତର୍ଗତ ଏକମାଣିଆ ଗାଁର ୩ଜଣ ଚାଷୀଙ୍କର ଏକକାଳୀନ ୩୦ଟି ମଇଁଷିଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୪୨ଟିଙ୍କର ପତ୍ତା ମିଳୁନାହିଁ। ତେବେ କୁମ୍ଭୀର ଆକ୍ରମଣରେ ଘାଇଲା ହେବା ପରେ ପରସ୍ପର ଛନ୍ଦି ହୋଇ ମଇଁଷିମାନଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏକମାଣିଆ ଗ୍ରାମର ମଇଁଷିପାଳକ ଜଗନ୍ନାଥ ଦାସ, ଗଣେଶ ଦାସ ଓ ପରମାନନ୍ଦ ବିଶ୍ୱାଳଙ୍କ କହିବାନୁଯାୟୀ, ରବିବାର ସେମାନେ ୭୨ ମଇଁଷିଙ୍କୁ ଚରାଇବା ପାଇଁ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଯୋରମୁହଁ ଦେଇ ନଦୀ ପଠାକୁ ନେଉଥିଲେ। ଏହି ସମୟରେ ହଠାତ ଏକ କୁମ୍ଭୀର ଗୋଟିଏ ମଇଁଷିକୁ ଆକ୍ରମଣ କରିଥିଲା। ଏହାଦ୍ୱାରା ମଇଁଷିମାନେ ଜୀବନ ବିକଳରେ ଧାଁଦଉଡ଼ କରିଥିଲେ। ଫଳରେ ନଦୀର ପ୍ରବଳ ସୁଅ ଓ କାଦୁଅରେ ଫଶି ପରସ୍ପର ଛନ୍ଦାଛନ୍ଦି ହୋଇ ପଡ଼ିଯିବାରୁ ଘଟଣାସ୍ଥଳରେ ୩୦ଟି ମଇଁଷିଙ୍କ ଜୀବନ ଚାଲିଯାଇଛି। ସନ୍ଧ୍ୟା ସୁଦ୍ଧା ୩୦ଟି ମଇଁଷିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ବେଳେ ଅନ୍ୟ ୪୨ ମଇଁଷିଙ୍କ ପତ୍ତା ମିଳିନାହିଁ।
Powered by Froala Editor