ବିଜୁ ପଟ୍ଟନାୟକ ବିମାନବନ୍ଦରରେ ହେବ ସର୍ବବୃହତ ରିପେୟାର କେନ୍ଦ୍ର ସ୍ଥାପନ
ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭାରତର ସର୍ବବୃହତ ମେଣ୍ଟେନାନ୍ସ, ରିପେୟାର ଓ ଓଭରହଲ (ଏମଆରଓ) କେନ୍ଦ୍ର ସ୍ଥାପନ ହେବାକୁ ଯାଉଛି, ଯାହା ଓଡ଼ିଶାରେ ଅର୍ଥନୀତି ଓ ନିଯୁକ୍ତି ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ରାଜ୍ୟ କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି ଏବଂ ଦେଶର ପୁରାତନ ତଥା ସର୍ବବୃହତ ଏମଆରଓ ସେବା ପ୍ରଦାନକାରୀ ଏୟାର ୱର୍କସ ଇଣ୍ଡିଆ (ଇଞ୍ଜିନିୟରିଂ) ପ୍ରାଇଭେଟ ଲିମିଟେଡକୁ ଏହି ପ୍ରକଳ୍ପର ନିବେଶକ ଭାବେ ନିଯୁକ୍ତ କରାଯାଇଛି।
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କହିବା ଅନୁସାରେ, ବର୍ତ୍ତମାନ ଏୟାରଲାଇନ୍ସମାନେ ସେମାନଙ୍କ ଆୟର ୧୨-୧୫% ବିମାନ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ କରୁଛନ୍ତି, ଯାହା ପ୍ରାୟତଃ ଅନ୍ୟ ରାଜ୍ୟ କିମ୍ବା ବିଦେଶରେ କରାଯାଉଛି। ଏହି ଏମଆରଓ କେନ୍ଦ୍ର ଏହି ଖର୍ଚ୍ଚକୁ ଓଡ଼ିଶା ଭିତରେ ରଖି ରାଜ୍ୟର ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବ।
ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ମତରେ, ଏହି କେନ୍ଦ୍ର ଚାଲୁ ହେଲେ ଦେଶୀ ଓ ବିଦେଶୀ ବିମାନ ସେବା ଓଡ଼ିଶା ମାଧ୍ୟମରେ ପରିଚାଳିତ ହେବ।
ଏହି ପ୍ରକଳ୍ପ ବି-ମାନ (ବିଲ୍ଡିଂ ଆଣ୍ଡ ମ୍ୟାନେଜମେଣ୍ଟ ଅଫ ଏଭିଏସନ ଆସେଟସ ଆଣ୍ଡ ନେଟୱର୍କ) ଯୋଜନାର ଅଂଶ ହେବ ଏବଂ ଶିଳ୍ପ ନୀତି ରେଜୋଲ୍ୟୁସନ ୨୦୨୨ ଅଧୀନରେ ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ରଦାନ କରାଯିବ। ଏହା ଓଡ଼ିଶାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
Powered by Froala Editor