ଚାନ୍ଦିପୁରରୁ ‘ପ୍ରଳୟ’ର ସଫଳ ପରୀକ୍ଷଣ
ସ୍ଵଦେଶୀ କ୍ଷେପଣାସ୍ତ୍ର ‘ପ୍ରଳୟ’ର ହୋଇଛି ସଫଳ ପରୀକ୍ଷଣ। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଓଡ଼ିଶା ଉପକୂଳର ବାଲେଶ୍ବରର ଚାନ୍ଦିପୁରସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ପ୍ରଳୟ କ୍ଷେପଣାସ୍ତ୍ରର କ୍ରମାଗତ ଦୁଇଟି ସଫଳ ପରୀକ୍ଷଣ କରିଛି। ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।
ଜୁଲାଇ ୨୮ ଓ ୨୯ ତାରିଖରେ ଅବଦୁଲ କଲାମ ଦ୍ୱୀପରୁ ଲଗାତର ଦୁଇଥର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। କ୍ଷେପଣାସ୍ତ୍ରଟି କେତେ ସଠିକ ଭାବରେ କମ୍ ଏବଂ ଅଧିକ ଦୂରତାରେ ଆକ୍ରମଣ କରିପାରିବ ତାହା ଦେଖିବା ପାଇଁ ସେନାର ଆବଶ୍ୟକତା ଅନୁଯାୟୀ ଏହି ପରୀକ୍ଷଣ କରାଯାଇଥିଲା। ଦୁଇ ଥର ଯାକ କ୍ଷେପଣାସ୍ତ୍ରଟି ସଠିକ୍ ଭାବରେ ଲକ୍ଷ୍ୟଭେଦ କରିଛି ଏବଂ ସମସ୍ତ ବୈଷୟିକ ମାପଦଣ୍ଡ ପୂରଣ କରିଛି।
ପ୍ରତିରକ୍ଷା ବିଭାଗ ଅନୁଯାୟୀ, ପ୍ରଳୟ ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କଠିନ ପ୍ରପେଲାଣ୍ଟ କ୍ୱାସି-ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଯାହା ଉଚ୍ଚ ସଠିକତା ସୁନିଶ୍ଚିତ କରିବା ପାଇଁ ଅତ୍ୟାଧୁନିକ ମାର୍ଗଦର୍ଶନ ଏବଂ ନାଭିଗେସନ୍ ବ୍ୟବହାର କରିଥାଏ। ଏହି କ୍ଷେପଣାସ୍ତ୍ର ବିଭିନ୍ନ ଲକ୍ଷ୍ୟଭେଦ ପାଇଁ ବହୁ ପ୍ରକାରର ଯୁଦ୍ଧାସ୍ତ୍ର ବହନ କରିବାକୁ ସକ୍ଷମ।
Powered by Froala Editor