ମାଟି ତଳୁ ମିଳିଲା ମାଓବାଦୀ ୩୫ ଲକ୍ଷ ଟଙ୍କା
ଓଡ଼ିଶା ସୀମାନ୍ତ ଚାଇଁବସାର ସରଣ୍ଡା ଜଙ୍ଗଲରୁ ମିଳିଲା ପୁଳାପୁଳା ଟଙ୍କା ବିଡ଼ା। ମାଓବାଦୀମାନେ ଏହି ଟଙ୍କା ଲୁଚାଇ ରଖିଥିବା ଜଣାପଡ଼ିଛି। ସରଣ୍ଡା ଜଙ୍ଗଲରେ ମାଟି ତଳେ ମାଓବାଦୀମାନେ ଟଙ୍କା ଲୁଚାଇ ରଖିଥିବା ନେଇ ଗୋଇନ୍ଦା ବିଭାଗ ସୂଚନାକୁ ଭିତ୍ତି କରି ସରଣ୍ଡାରେ କମ୍ବିଂ ଅପରେଶନ ସହିତ ସର୍ଚ୍ଚ ଜାରି ରଖିଥିଲେ ସୁରକ୍ଷା ବଳ ଯବାନ। ମାଓବାଦୀମାନେ ଏହି ଟଙ୍କାକୁ ମାଓବାଦୀ କାର୍ଯ୍ୟକଳାପରେ ଲଗାଉଥିବା ନେଇ ଗୋଇନ୍ଦା ବିଭାଗର ସୂଚନା ରହିଥିଲା ।
ଗୁପ୍ତ ସୂଚନା ଆଧାରରେ ଝାଡ଼ଖଣ୍ଡର ଚାଇବାସା ପୁଲିସ ପ୍ରାୟ ୩୫ ଲକ୍ଷ ଟଙ୍କା ଜବତ କରିଛି। ଉଦ୍ଧାର ଟଙ୍କାବିଡ଼ାଗୁଡ଼ିକ କାଗଜ ଏବଂ ପ୍ଲାଷ୍ଟିକରେ ଗୁଡ଼ାଯାଇଛି। ମୋଟ ୩୫ଟି ପୃଥକ ବିଡ଼ା ରହିଛି। ଉଦ୍ଧାର ଟଙ୍କା ମାଓବାଦୀମାନେ ସୁରକ୍ଷା ବାହିନୀ ବିରୁଦ୍ଧରେ ଅଞ୍ଚଳରେ ଲ୍ୟାଣ୍ଡମାଇନ୍ ବିଛାଇବା ଏବଂ ବିସ୍ଫୋରକ କିଣିବା ପାଇଁ ରଖିଥିଲେ। ସମସ୍ତ ଟଙ୍କା ଏକ ଷ୍ଟିଲ୍ କ୍ୟାନରେ ରଖାଯାଇ ମାଟିରେ ପୋତାଯାଇଥିଲା। ଜବତ ଟଙ୍କାର ମୂଲ୍ୟ ପ୍ରାୟ ୩୫ ଲକ୍ଷ ହେବ ବୋଲି ଆକଳନ କରାଯାଉଥିବାବେଳେ ଥାନାକୁ ନେଇ ଟଙ୍କା ଗଣନା ପରେ ସଠିକ୍ ପରିମାଣ ଜଣାପଡ଼ିବ ବୋଲି ରାଞ୍ଚି ଆଇଜି ମନୋଜ କୌଶିକ୍ ‘ଏକ୍ସ’ ଯୋଗେ ସୂଚନା ଦେଇଛନ୍ତି।
Powered by Froala Editor