ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ପାଇଁ କେନ୍ଦ୍ରକୁ ଯାଇନାହିଁ ପ୍ରସ୍ତାବ
ଭୁବନେଶ୍ବର: ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ନେଇ ପୁଣି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖରେ ନାହିଁ। ରାଜ୍ୟ ସରକାର କହୁଛନ୍ତି ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁଦାନ ମିଳିବ। ପୂର୍ବ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇନଥିବାବେଳେ ବିଜେପି ସରକାର ଆଗକୁ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖିବେ।
ସୂଚନା ମୁତାବକ, ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଯାଇନାହିଁ। ମେଟ୍ରୋ ରେଳ ଉପରେ କେନ୍ଦ୍ର ସରକାରଙ୍କ ପାଖକୁ ଦେଶର ବିଭିନ୍ନ ରାଜ୍ୟରୁ ୧୭ଟି ପ୍ରସ୍ତାବ ଆସିଛି। ବିଭିନ୍ନ ରାଜ୍ୟରୁ ଆସିଥିବା ମେଟ୍ରୋ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ମଧ୍ୟ ଅନୁଦାନ ଦେଇଛନ୍ତି, ହେଲେ ଏଥିରେ ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ବାବଦରେ କୌଣସି ପ୍ରସ୍ତାବ ନାହିଁ।
୨୦୨୪, ଜାନୁଆରୀ ପହିଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତ୍ରିଶୂଳିଆ ନିକଟ ରତାଗଡ଼ର ଲେଙ୍କାସାହିରେ ମେଟ୍ରୋ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପ୍ରକଳ୍ପ ପାଇଁ ମୋଟ ୬ହଜାର ୨୫୫.୯୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବାକୁ ସେତେବେଳେ ପୂର୍ବ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇ ନଥିବା କୁହାଯାଉଛି। ନୂଆ ସରକାର ଆସିବା ପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ, ଏହି ପ୍ରକଳ୍ପ ପାଇଁ କେବଳ ରାଜ୍ୟ ସରକାର ଅର୍ଥ ଖର୍ଚ୍ଚ କରିବେ ନାହିଁ; ବରଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଅନୁଦାନ ମିଳିବ। ଏହି ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟଠାରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ୨୬କି.ମି. ମେଟ୍ରୋ ରେଳ ଚାଲିବ ବୋଲି ନକ୍ସା ପ୍ରସ୍ତୁତ ହୋଇଥିଲା। କିନ୍ତୁ ନୂଆ ସରକାର ଏହାକୁ ତ୍ରିଶୂଳିଆ ପରିବର୍ତ୍ତେ ଏସ୍ସିବି ମେଡ଼ିକାଲ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏନେଇ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି, ଆଗକୁ ମେଟ୍ରୋ ରେଳ ଉପରେ ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା କରି କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଅନୁଦାନରେ ମେଟ୍ରୋ ରେଳ ପ୍ରକଳ୍ପ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
Powered by Froala Editor