ନକଲି ଚାଷୀଙ୍କୁ ଚିହ୍ନଟ ପାଇଁ ଆସିଗଲା ନୂଆ କୌଶଳ
ଭୁବନେଶ୍ଵର: ଓଡ଼ିଶା ସରକାର ନକଲି ଚାଷୀଙ୍କୁ ଚିହ୍ନଟ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି। ରାଜ୍ୟର ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି ଯେ, ଚାଷୀମାନଙ୍କର e-KYC (ଇଲେକ୍ଟ୍ରୋନିକ ନୋ ୟୋର କଷ୍ଟମର) ଯାଞ୍ଚ କରାଯିବ, ଯାହା ନକଲି ଚାଷୀଙ୍କୁ ଚିହ୍ନଟ କରିବାରେ ସହାୟକ ହେବ।
ମନ୍ତ୍ରୀ ପାତ୍ର କହିଛନ୍ତି, “ଖରିଫ ଧାନ ବିକ୍ରି ପାଇଁ ପଞ୍ଜୀକରଣ ସମୟରେ ଚାଷୀମାନଙ୍କର e-KYC କରାଯିବ। ଏହି ପ୍ରକ୍ରିୟାରେ ଚାଷୀଙ୍କ ଫିଙ୍ଗର ପ୍ରିଣ୍ଟ ଏବଂ ଆଖି ସ୍କାନ କରାଯିବ, ଯାହା ଦ୍ୱାରା ଅସଲି ଚାଷୀଙ୍କୁ ଚିହ୍ନଟ କରାଯାଇ ପାରିବ ।ଏହି ପଦକ୍ଷେପ ରାଜ୍ୟରେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାଗୁଡ଼ିକରେ ସ୍ୱଚ୍ଛତା ଆଣିବା ସହିତ ଅସଲି ଚାଷୀମାନଙ୍କୁ ସଠିକ ସୁବିଧା ଯୋଗାଇ ଦେବାରେ ସହାୟକ ହେବ।
ଓଡ଼ିଶାରେ ଧାନ କିଣା ପ୍ରକ୍ରିୟାରେ ଅନେକ ସମୟରେ ନକଲି ଚାଷୀମାନେ ସୁଯୋଗ ନେଇ ସରକାରୀ ସହାୟତା ହାସଲ କରୁଥିବା ଅଭିଯୋଗ ଉଠିଛି। e-KYC ପ୍ରକ୍ରିୟା ଏହି ଅନିୟମିତତାକୁ ରୋକିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସରକାର ଆଶାବାଦୀ।
Powered by Froala Editor