ସିବିଏସ୍ଇ ସ୍କୁଲରେ ହାଇ-ରିଜୋଲ୍ୟୁସନ ସିସିଟିଭି କ୍ୟାମେରା ସ୍ଥାପନ ବାଧ୍ୟତାମୂଳକ
ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପକ୍ଷରୁ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନିୟମାବଳୀ ଜାରି କରାଯାଇଛି। ନିର୍ଦ୍ଦେଶବଳୀ ଅନୁଯାୟୀ, ସିବିଏସ୍ଇ ଅନୁବନ୍ଧିତ ସମସ୍ତ ବିଦ୍ୟାଳୟରେ ହାଇ-ରିଜୋଲ୍ୟୁସନ ସିସିଟିଭି କ୍ୟାମେରା ସ୍ଥାପନ ବାଧ୍ୟତାମୂଳକ କରାଯିବ। ଏଥିରେ ରିଅଲ-ଟାଇମ ଅଡିଓ-ଭିଜୁଆଲ ରେକର୍ଡିଂ କ୍ଷମତା ରହିବ। ସିବିଏସ୍ଇ ଅନୁବନ୍ଧିତ ସବୁ ବିଦ୍ୟାଳୟ ଏହି ନିୟମକୁ ମାନିବେ। ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ସ୍ଥଳ, ପ୍ରତୀକ୍ଷା ସ୍ଥଳ, ବାରଣ୍ଡା, ସିଡ଼ିଘର, ଶ୍ରେଣୀଗୃହ, ପରୀକ୍ଷାଗାର, ଗ୍ରନ୍ଥାଗାର, କ୍ୟାଣ୍ଟିନ, ଖେଳପଡ଼ିଆ ଏବଂ ଅନ୍ୟାନ୍ୟ ସାଧାରଣ ଅଞ୍ଚଳରେ କ୍ୟାମେରା ସ୍ଥାପନ ହେବ। ସିସିଟିଭି ଫୁଟେଜ ଅତି କମ୍ରେ ୧୫ ଦିନ ପାଇଁ ସଂରକ୍ଷଣ କରାଯିବ ଏବଂ ଆବଶ୍ୟକ ହେଲେ ଏହାକୁ ଯାଞ୍ଚ କରାଯିବ। ବୋର୍ଡ ପରୀକ୍ଷା କେନ୍ଦ୍ରଗୁଡ଼ିକ ପାଇଁ ଫୁଟେଜ୍ ଅତିକମ୍ରେ ଫଳାଫଳ ଘୋଷଣାର ୨ ମାସ ପର୍ଯ୍ୟନ୍ତ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ୧୦ଟି ଶ୍ରେଣୀଗୃହ ବା ୨୪୦ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ନିରୀକ୍ଷକ (ଇନ୍ଭିଜିଲେଟର) ନିଯୁକ୍ତ ହେବେ। ସେ ପରୀକ୍ଷା ସମୟରେ ରିଅଲ-ଟାଇମ ଫୁଟେଜ ନିରୀକ୍ଷଣ କରିବେ ଏବଂ ଅନିୟମିତ କାର୍ଯ୍ୟକଳାପ ରିପୋର୍ଟ କରିବେ। ସିସିଟିଭି ସିଷ୍ଟମର ନିୟମିତ ରକ୍ଷଣାବେକ୍ଷଣ ଏବଂ ଯାଞ୍ଚ କରାଯିବ। ପ୍ରତି ତିନିମାସରେ ସିଷ୍ଟମର କାର୍ଯ୍ୟକ୍ଷମତା ଯାଞ୍ଚ କରାଯିବ।
Powered by Froala Editor