ନିଲମ୍ବିତ ହେଲେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ
ଭୁବନେଶ୍ଵର: ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ନିଲମ୍ବିତ ହୋଇଛନ୍ତି। ତାଙ୍କୁ ପଦରୁ ନିଲମ୍ବନ କରିଛନ୍ତି ଜାତୀୟ ଯୁବ କଂଗ୍ରେସ ସଭାପତି ବରୁଣ ଚୌଧୁରୀ। ଦୁଷ୍କର୍ମ ଅଭିଯୋଗରେ ଗିରଫ ପରେ ଉଦିତଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନାଯୋଗ୍ୟ, ଥଣ୍ଡା ପାନୀୟରେ ନିଶା ଦେଇ ଜନୈକା ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ରବିବାର ରାତିରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଗିରଫ କରିଛି। ଏହି ଘଟଣା ଗତ ମାର୍ଚ୍ଚ ୧୮ ତାରିଖ ସନ୍ଧ୍ୟାରେ ଘଟିଥିବା ପୀଡ଼ିତା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ପୀଡ଼ିତା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଘଟଣା ଦିନ ସନ୍ଧ୍ୟାରେ ତାଙ୍କ ବନ୍ଧୁ ଆୟୁଷ୍ମାନ ସାହୁ ତାଙ୍କୁ ଓ ଜଣେ ମହିଳା ସାଙ୍ଗଙ୍କୁ ବୁଲିଯିବାକୁ କହି ମାଷ୍ଟରକ୍ୟାଣ୍ଟିନ୍ ଛକକୁ ନେଇଯାଇଥିଲେ। ସେଠାରେ ଜଣେ ଯୁବକ ଆସି ତାଙ୍କ ଗାଡ଼ିରେ ବସିଥିଲେ। ତାଙ୍କ ନାମ ଉଦିତ ପ୍ରଧାନ ଓ ସେ ଛାତ୍ର କଂଗ୍ରେସ ସଭାପତି ବୋଲି ସେ ଜାଣିବାକୁ ପାଇଥିଲେ। ପରେ ସମସ୍ତେ ମଞ୍ଚେଶ୍ବର ଥାନା ଅଞ୍ଚଳର ଏକ ହୋଟେଲକୁ ଯାଇଥିଲେ। ସେଠାରେ ଥଣ୍ଡା ପାନୀୟରେ ନିଶା ଦେଇ ଉଦିତ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ। ଏବେ ନାରୀ ପାଇଁ ନ୍ୟାୟ ଅଭିଯାନ ଚାଲିଥିବାରୁ ସେ ସାହସ କରି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଉଦିତଙ୍କୁ ଗିରଫ କରାଯାଇ ତଦନ୍ତ ଜାରି ରହିଥିବା ଜୋନ୍-୪ ଏସିପି ବିଶ୍ବରଞ୍ଜନ ସେନାପତି ସୂଚନା ଦେଇଛନ୍ତି।
Powered by Froala Editor