ଶେଷ ମୁହୂର୍ତ୍ତରେ ମିଳିଲା ନୂଆ ଜୀବନ, ନିମିଶାଙ୍କ ଫାଶୀ ସ୍ଥଗିତ
ସ୍ଥଗିତ ରହିଲା କେରଳର ନର୍ସ ନିମିଶା ପ୍ରିୟାଙ୍କ ଫାଶୀ। ବର୍ତ୍ତମାନ ଫାଶୀଦଣ୍ଡକୁ ସ୍ଥଗିତ ରଖାଯାଇଛି। ଭାରତ ସରକାର ନିମିଶା ପ୍ରିୟାକୁ ଫାଶୀରୁ ରକ୍ଷା କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଥିଲେ। କୁହାଯାଉଥିଲା ଯେ, ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତାଙ୍କୁ ବଞ୍ଚାଇବା କଷ୍ଟକର। କିନ୍ତୁ ଏବେ ଖବର ଆସିଛି ଯେ ତାଙ୍କ ଫାଶୀକୁ ସ୍ଥଗିତ ରଖାଯାଇଛି।
ନିମିଶା ପ୍ରିୟାଙ୍କ ବ୍ୟବସାୟିକ ସହଯୋଗୀ ତଲାଲ ଅବଦୋ ମହଦିଙ୍କ ହତ୍ୟା ମାମଲାରେ ତାଙ୍କୁ ଜୁଲାଇ ୧୬ ତାରିଖରେ ଫାଶୀ ଦିଆଯିବାର ଥିଲା। କେରଳର ପ୍ରଭାବଶାଳୀ ସୁନ୍ନି ମୁସଲିମ ନେତା କଂଥାପୁରମ ଏ ପି ଅବୁବକର ମୁସଲିୟାର ଏବଂ ଭାରତ ସରକାରଙ୍କ ହସ୍ତକ୍ଷେପରେ ହୋଇଥିବା ଆଲୋଚନା ପରେ ୟେମେନର ସ୍ଥାନୀୟ କର୍ତ୍ତୃପକ୍ଷ ନିମିଶାଙ୍କ ଫାଶୀକୁ ସ୍ଥଗିତ ରଖିଛନ୍ତି।
ନିମିଶାଙ୍କ ଓକିଲ କହିଛନ୍ତି ଯେ, "ୟେମେନି କର୍ତ୍ତୃପକ୍ଷ ଶେଷ ମୁହୂର୍ତ୍ତରେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି। ଭାରତ ସରକାରଙ୍କ ଅନୁରୋଧ ସହ ନିମିଶାଙ୍କ ମା’ଙ୍କ ନିବେଦନ ପରେ ଏହି ନିଷ୍ପତ୍ତି ନିଆଯାଇଛି।" ତେବେ ଏହି ଘଟଣାରେ ଆଗକୁ ନିମିଶାଙ୍କୁ ଫାଶୀଦଣ୍ଡ ମିଳିବ ନା ଆଜୀବନ କାରାଦଣ୍ଡ ଦିଆଯିବ ତାହା ସ୍ପଷ୍ଟ ହେବ।
ସୂଚନାଯୋଗ୍ୟ, ୨୦୧୭ରେ ୟେମେନ ନାଗରିକ ତଲାଲ ଅବଦୋ ମହଦିଙ୍କ ହତ୍ୟା ମାମଲାରେ ନର୍ସ ନିମିଶା ପ୍ରିୟା ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏକ ବର୍ଷ ପରେ ତାଙ୍କୁ ୟେମେନର ଏକ ଟ୍ରାଏଲ କୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେହି ଦିନଠାରୁ ନର୍ସଙ୍କ ପରିବାର ଝିଅକୁ ମୁକ୍ତ କରିବା ପାଇଁ ସଂଗ୍ରାମ କରିଆସୁଛନ୍ତି।
Powered by Froala Editor