ମାସ୍କ ଚେକିଂ ସମୟରେ ପୁଲିସ କର୍ମଚାରୀଙ୍କୁ ମାଡ
ଭୁବନେଶ୍ୱର: ମାସ୍କ ଚେକିଂ କରୁଥିବା ଜଣେ ପୁଲିସ କର୍ମଚାରୀଙ୍କୁ ମାଡ ମାରିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବାସୁପୁର ଅଞ୍ଚଳର ପ୍ରଶାନ୍ତ କୁମାର ବିଶ୍ୱାଳଙ୍କୁ ଗିରଫ କରିଛି । ପ୍ରଶାନ୍ତ ବମିଖାଲ ଅଞ୍ଚଳରେ ରହନ୍ତି । ତାଙ୍କ ବିରୋଧରେ ଆଇପିସି ଦଫା ୬୯, ୨୭୦, ୨୯୪, ୩୫୩, ୫୦୬ ଓ ମହାମାରୀ ଆଇନ ଧାରା ୩ ଲାଗିଛି । ପୁଲିସ ସୂଚନା ଅନୁସାରେ ସକାଳେ ଲକ୍ଷ୍ମୀସାଗର ଥାନାରେ ଏଏସଆଇ ଅଭିମନୁ୍ୟ ଚୌଧୁରୀ ବମିଖାଲ ଛକରେ ମାସ୍କ ଯାଞ୍ଚ କରୁଥିଲେ । ସେହି ବାଟ ଦେଇ ଯାଉଥିବା ପ୍ରଶାନ୍ତଙ୍କୁ ସେ ଅଟକାଇଥିଲେ । ତେବେ ଏଥିରେ ଉତକ୍ଷିପ୍ତ ହୋଇ ପ୍ରଶାନ୍ତ ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଲଜ କରିଥିଲେ । ଏ ସଂକ୍ରାନ୍ତରେ ଅଭିମନୁ୍ୟ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା ।