ବସ୍ରେ ମହିଳାଙ୍କ ମାଗଣା ଯାତ୍ରାକୁ ନେଇ ସରକାର ଆଣିଲେ ନୂଆ ନିୟମ, ଜାଣନ୍ତୁ କ’ଣ ?

ନୂଆଦିଲ୍ଲୀ : ବସ୍ରେ ଯାତ୍ରା କରୁଥିବା ଦିଲ୍ଲୀ ମହିଳାଙ୍କୁ ମାଗଣାରେ ଯାତ୍ରା କରିବାର ସୁଯୋଗ ମିଳିବ କି ନାହିଁ । ଏହାକୁ ନେଇ ସରକାର ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ନୂଆ ସରକାର ବସ୍ରେ ମହିଳାଙ୍କ ମାଗଣା ଯାତ୍ରାକୁ ନେଇ କିଛି ନିୟମ ଆଣିଛନ୍ତି । ମହିଳା ଓ ୩ୟ ଲିଙ୍ଗିଙ୍କ ପାଇଁ ବସ୍ରେ ମାଗଣା ଯାତ୍ରାରେ କିଛି ସର୍ତ୍ତ ଲାଗୁ କରାଯିବ। ପ୍ରଥମେ ଦିଲ୍ଲୀର ପ୍ରତ୍ୟେକ ମହିଳା ଏହି ସେବାର ଲାଭ ପାଇ ପାରୁଥିଲେ । ମାତ୍ର ଏବେ କିଛି ମହିଳାଙ୍କୁ ଏହି ସେବାର ଲାଭ ମିଳିବ ନାହିଁ । କାରଣ ସରକାର ଏହି ଯୋଜନାର ନିୟମରେ କିଛି ପରିବର୍ତ୍ତନ କରିଛନ୍ତି ।
ରାଜଧାନୀ ଦିଲ୍ଲୀରେ ମାଗଣା ବସ୍ ସେବାକୁ ନେଇ କୁହାଯାଇଛି ଯେ, ଯେଉଁ ମହିଳାମାନେ ଦିଲ୍ଲୀ ନିବାସୀ ହୋଇଥିବେ, କେବଳ ସେମାନଙ୍କୁ ହିଁ ମାଗଣା ବସ୍ ସେବା ମିଳିବ । ସେମାନଙ୍କ ନିକଟରେ ସହେଲୀ ସ୍ମାର୍ଟ କାର୍ଡ ହେବା ଜରୁରୀ । ଏହି କାର୍ଡ ପାଇଁ ସର୍ବପ୍ରଥମେ ମହିଳା ଦିଲ୍ଲୀ ନିବାସୀ ହେବା ଆବଶ୍ୟକ । ତାଙ୍କ ନିକଟରେ ଦିଲ୍ଲୀର ଭୋଟର ଆଇଡି, ରାସନକାର୍ଡ କିମ୍ବା ବିଜୁଳି ବିଲ୍ ଥିବା ଆବଶ୍ୟକ ।
ମହିଳାଙ୍କ ବୟସ ୧୨ ବର୍ଷରୁ ଅଧିକ ହେବା ଆବଶ୍ୟକ । ଆଧାରକାର୍ଡ, ନିବାସୀ ପ୍ରମାଣପତ୍ର, ପାନ୍ କାର୍ଡ ଓ ପାସ୍ପୋର୍ଟ ଫଟୋ ଥିବା ଆବଶ୍ୟକ । ପୂର୍ବରୁ ଥିବା ନିୟମାନୁଯାୟୀ, ଯେକୌଣସି ରାଜ୍ୟର ମହିଳା ଯେଉଁମାନେ ଦିଲ୍ଲୀରେ ବସବାସ କରୁଥିଲେ, ସେମାନେ ମଧ୍ୟ ଏହି ଲାଭ ପାଉଥିଲେ । ମାତ୍ର ବର୍ତ୍ତମାନ ଏହି ସୁବିଧା କେବଳ ଦିଲ୍ଲୀର ମହିଳା ହିଁ ପାଇପାରିବେ।
ଯେଉଁ ମହିଳାଙ୍କୁ ଏହି ସୁବିଧା ମିଳିବ ନାହିଁ, ସେମାନଙ୍କ ପାଇଁ ଭଡାରେ କ’ଣ ପରିବର୍ତ୍ତନ ରହିବ, ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାଏଁ ମିଳି ନାହିଁ ।
Powered by Froala Editor