ଶାଶୂକୁ ବିଧା ଗୋଇଠା ମାରିଲେ ଇଞ୍ଜିନିୟର ବୋହୂ

ଉତ୍ତର ପ୍ରଦେଶର ଗାଜିଆବାଦରେ, ଜଣେ ସଫ୍ଟୱେର୍ ଇଞ୍ଜିନିୟର ବୋହୂ ଶାଶୁଙ୍କୁ ନିର୍ମମ ଭାବରେ ପିଟିଛନ୍ତି। ଝିଅ ଏଭଳି ବୁଢ଼ି ଶାଶୁକୁ ମାଡ଼ ମାରୁଥିବା ବେଳେ ମା’ ଚୁପ୍ ରହି ଭିଡିଓ କରୁଥିବାରୁ ଦୃଶ୍ୟ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଏହି ଘଟଣାଟି ଗାଜିଆବାଦର ଗୋବିନ୍ଦପୁରମ ପୋଲିସ ଷ୍ଟେଶନ ଅଞ୍ଚଳର। ଘଟଣାର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସିସିଟିଭି ଫୁଟେଜ ଭାଇରାଲ ହେବା ପରେ, ପୋଲିସ ଏକ ମାମଲା ରୁଜୁ କରିଛି।
ଶାଶୁଙ୍କୁ ନିର୍ମମ ଭାବରେ ପିଟିଥିବା ଅଭିଯୁକ୍ତ ବୋହୂଙ୍କ ନାମ ଆକାଂକ୍ଷା। ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ଅଭିଯୁକ୍ତ ବୋହୂ ଓ ବୃଦ୍ଧ ଶାଶୁ କୌଣସି କଥାକୁ ନେଇ ଝଗଡ଼ା କରିବା ଆରମ୍ଭ କରୁଛନ୍ତି। ଏହା ପରେ ଶାଶୁ ଯାଇ ସିଢ଼ିରେ ବସୁଛନ୍ତି। ଏହା ଦେଖି ବୋହୂ ତାଙ୍କ ମାଡ଼ ମାରିବାରୁ ତାଙ୍କ କେଶ ଖୋଲିଯାଉଛି। ବୋହୂ ଏଭଳି ମାଡ଼ ମାରୁଥିବା ଦେଖି ସେ ତୁରନ୍ତ ଯାଇ ଘରର କବାଟ ବାଡ଼ାଉଛନ୍ତି। ଏଥିରେ ରାଗିଯାଇ ବୋହୂ ତାଙ୍କୁ ଟାଣି ତଳେ ପକାଇବା ସହ ବିଧା ଗୋଇଠା ମାରୁଛି। ଏହି ସମୟରେ ବୋହୂର ମା’ ଭିଡିଓ କରୁଥିବା ଦେଖିବାକୁ ମିଳିଛି। କିଛି ସମୟ ଏଭଳି ଚାଲିବା ପରେ ଘରର କବାଟ ଖୋଲୁଥିବା ଭିଡିଓରେ ଦେଖାଯାଇଛି।
ଆକାଂକ୍ଷାଙ୍କ ଶ୍ୱଶୁର କହିଛନ୍ତି, ସେ ପୂର୍ବରୁ ତାଙ୍କ ବୋହୂଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ, କିନ୍ତୁ ବୋହୂଙ୍କ ବାପା ଦିଲ୍ଲୀରେ ଜଣେ ସବ-ଇନ୍ସପେକ୍ଟର, ତେଣୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ବୋହୂ ତାଙ୍କ ଶାଶୁଙ୍କୁ ମାଡ଼ ମାରିବାର ଏହି ଘଟଣା ଜୁଲାଇ ୧ ତାରିଖର ବୋଲି କୁହାଯାଉଛି।
ପୀଡିତା ଶାଶୁ ଅଭିଯୋଗ କରିଛନ୍ତି, ଏହି ଘଟଣା ପରେ ସେ ଅନେକ ଦିନ ଧରି ପୋଲିସ ଷ୍ଟେସନକୁ ଯାଉଥିଲେ, କିନ୍ତୁ କୌଣସି ମାମଲା ରୁଜୁ ହୋଇନଥିଲା। ଅଭିଯୁକ୍ତ ବୋହୂଙ୍କ ବାପା ଦିଲ୍ଲୀ ପୋଲିସରେ ଜଣେ ସବ-ଇନ୍ସପେକ୍ଟର ବୋଲି କୁହାଯାଉଛି। ଏହି କାରଣରୁ ସ୍ଥାନୀୟ ପୋଲିସ ଉପରେ ଚାପ ପଡ଼ିଥିଲା ଏବଂ ସେମାନେ ମାମଲାକୁ ଅଣଦେଖା କରିଥିଲେ।
ସିସିଟିଭି ଫୁଟେଜ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏବେ ପୋଲିସ ଆକାଂକ୍ଷା ଏବଂ ତାଙ୍କ ମା’ଙ୍କ ବିରୋଧରେ ମାମଲା ରୁଜୁ କରିଛି।
Powered by Froala Editor