ମାଲି ଦେଶରେ ଓଡିଶା ଯୁବକଙ୍କୁ ଅପହରଣ କରିନେଲେ ଆତଙ୍କବାଦୀ

ହିଞ୍ଜିଳିକାଟୁ : ଆଫ୍ରିକା ମହାଦେଶର ମାଲି ଦେଶରେ ଗଞ୍ଜାମର ଜଣେ ଯୁବକଙ୍କୁ ଆତଙ୍କବାଦୀମାନେ ଅପହରଣ କରିଛନ୍ତି। ସେଠାକାର ଏକ ସିମେଣ୍ଟ କାରଖାନାରେ ଆତଙ୍କବାଦୀ ଅପହରଣ କରି ନେଇଥିବା ୩ ଭାରତୀୟଙ୍କ ମଧ୍ୟରେ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ନିକଟ ସମରଝୋଳର ଯୁବକ ପି. ଭେଙ୍କେଟରମଣ ରହିଛନ୍ତି। ଘଟଣାକୁ ନେଇ ଭେଙ୍କେଟରମଣଙ୍କ ପରିବାର ଲୋକେ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଭେଙ୍କେଟରମଣଙ୍କୁ ଉଦ୍ଧାର ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ତାଙ୍କ ପରିବାର ଭାରତ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଭେଙ୍କେଟମରଣଙ୍କ ଭଉଣୀ ଜ୍ବାଇଁ ପି. ବବୁଲଙ୍କଠାରୁ ମିଳିଥିବା ସୂଚନା ପ୍ରକାରେ, ଭେଙ୍କେଟରମଣ କିଛିବର୍ଷ ହେବ ମୁମ୍ବଇର ବ୍ଲୁଷ୍ଟାର ନାମକ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ ା କମ୍ପାନୀ ପକ୍ଷରୁ ଆଫ୍ରିକାର ମାଲି ଦେଶକୁ ଯାଇ ସେଠାକାର ସିମେଣ୍ଟ କାରଖାନାରେ ୯ମାସ ହେବ କାର୍ଯ୍ୟ କରୁଥିଲେ। ୨ ଦିନ ତଳେ କମ୍ପାନୀ ପକ୍ଷରୁ ଭେଙ୍କେଟରମଣଙ୍କ ପରିବାର ଲୋକଙ୍କୁ ଫୋନ କରି ମାଲି ଦେଶର କାରଖାନାରେ ବିସ୍ଫୋରଣ ହୋଇଥିବା ସୂଚନା ଦିଆଯାଇଥିଲା। ତେବେ ଭେଙ୍କେଟରମଣଙ୍କ ଅବସ୍ଥା ବିଷୟରେ କୁହାଯାଇନଥିଲା। ଏହାପରେ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ ା ପରିବାର ଲୋକେ ଯାଞ୍ଚ କରିବା ପରେ ମାଲି ଦେଶର ଏକ ଟିଭି ଚ୍ୟାନେଲରୁ ଭେଙ୍କେଟରମଣ କାର୍ଯ୍ୟ କରୁଥିବା ସିମେଣ୍ଟ କାରଖାନା ଅଞ୍ଚଳରେ ଆତଙ୍କବାଦୀମାନେ ଆକ୍ରମଣ କରି ୩ ଜଣ ଭାରତୀୟଙ୍କୁ ଅପହରଣ କରି ନେଇଯାଇଥିବା ଜାଣିବାକୁ ପାଇଥିଲେ । ସେହି ଟିଭି ଚ୍ୟାନେଲରେ ପ୍ରସାରିତ ଭିଡିଓ ଦେଖିବା ପରେ ଅପହୃତ ହୋଇଥିବା ଯୁବକଙ୍କ ମଧ୍ୟରେ ଭେଙ୍କେଟରମଣ ରହିଥିବା ପରିବାର ଲୋକେ ନିଶ୍ଚିତ ହୋଇଥିଲେ ।
Powered by Froala Editor