ଘୋଷ ଯାତ୍ରା ସମୟରେ ଅଘଟଣ: ଡିଜେ ଗାଡ଼ି ଓଲଟି ବାଳକର ମୃତ

ଭଦ୍ରକ : ଭଦ୍ରକ ଜିଲା ଧାମନଗର ଥାନା, ଭଗବାନପୁର ପଞ୍ଚାୟତ ଅନହରପୁର ଠାରେ ଘୋଷ ଯାତ୍ରା ସମୟରେ ଡିଜେ ଗାଡି ଓଲଟିବାରୁ ଜଣେ ୧୨ ବର୍ଷର ବାଳକର ମୃତ୍ୟୁ ହୋଇଯାଇଥିବାବେଳେ ୫ରୁ ଅଧିକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ଅନହରପୁରରେ ରଥ ଯାତ୍ରା ପାଇଁ ବେଙ୍ଗାଲୁରୁରୁ ଡିଜେ ଗାଡ଼ି ଆସିଥିଲା। ଆଜି ସନ୍ଧ୍ୟା ପରେ ରଥ ଟଣା ଆରମ୍ଭ ହୋଇଥିଲା। ରାତି ୧୦ଟା ୩୦ ସମୟରେ ଗ୍ରାମ ପରିକ୍ରମା କରୁଥିବା ସମୟରେ ଅନହରପୁର ବଜାରରେ ଡିଜେ ଗାଡିଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ରଥ ଦେଖିବାକୁ ଆସିଥିବା ଅନହରପୁର ଗ୍ରାମର ବାଳକ, କିଶୋର ରାଉତଙ୍କ ପୁଅ ଧନ ଗାଡ଼ି ତଳେ ଚାପି ହୋଇଯାଇଥିଲା। ତା’କୁ ତୁରନ୍ତ ଧାମନଗର ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ଏଭଳି ଘଟଣାରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରାୟ ୮ ମାସ ପୂର୍ବରୁ ମୃତ ଧନର ବାପାଙ୍କର ଆକସ୍ମିକ ମୃତ୍ୟୁ ହୋଇଥିଲା। କାଳେ ଆଉ କେହି ଚାପି ହୋଇଥିବେ, ଏଥି ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା। ଧାମନଗର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟ ପକ୍ଷରେ ଡିଜେଗାଡ଼ି ତଳେ ୫ରୁ ଅଧିକ ଲୋକ ଚାପି ହୋଇଥିବା କୁହାଯାଇଛି।
Powered by Froala Editor