ସନ୍ଧ୍ୟାରେ ବୁଲିବାକୁ ଯାଇ ହଜିଗଲେ ବୃଦ୍ଧ, ୧୪ ମାସ ପରେ ଏମିତି ମିଳିଲେ...

ବୟସ ୭୮ । ଆଖିକୁ ଠିକ୍ ଭାବେ ଦେଖାଯାଉନାହିଁ । କଥାବାର୍ତ୍ତା ମଧ୍ୟ ସଠିକ୍ରେ କହିପାରନ୍ତିନି । ଏଭଳି ସ୍ଥିତିରେ ୧୪ ମାସ ହେଲା ନିଖୋଜ ହୋଇଯାଇଥିଲେ । କିନ୍ତୁ ସୌଭାଗ୍ୟବଶତଃ ୧୪ ମାସ ପରେ ପୁଣି ବୃଦ୍ଧ ଜଣକ ଘରକୁ ଫେରିଛନ୍ତି ।
ସୂଚନା ଅନୁଯାୟୀ, ମାର୍ଚ୍ଚମାସରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ଭରତ ଜେନା(୭୮) ନିଜର ଆଧାରକାର୍ଡ ସଂଶୋଧନ କରିବା ଲାଗି ଭୁବନେଶ୍ବର ଆସିଥିଲେ। ଡୁମୁଡୁମା ଫେଜ୍-୨ସ୍ଥିତ ନିଜ ନାତିନାତୁଣୀଙ୍କ ପାଖରେ ରହୁଥିଲେ। ତେବେ ୨୦୨୪ ଏପ୍ରିଲ ପହିଲା ଦିନ ସନ୍ଧ୍ୟାରେ ସେ ବାହାରକୁ ଚଲାବୁଲା କରିବାକୁ ଆସିଥିଲେ। କିଛି ସମୟ ବୁଲିବା ପରେ ସେ ବାଟ ହୁଡ଼ି ଯାଇଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ନାତିନାତୁଣୀ ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ।
ଏନେଇ ଏପ୍ରିଲ ୨ ତାରିଖରେ ସେମାନେ ଖଣ୍ଡଗିରି ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ। ଅପରପକ୍ଷରେ ଭରତଙ୍କୁ ଏକୁଟିଆ ବୁଲୁଥିବା ଦେଖି କିଛି ସମାଜସେବୀ ତାଙ୍କର ଠିକଣା ପଚାରିଥିଲେ। ମାତ୍ର ଠିକ୍ ଭାବରେ କଥା କହିପାରୁନଥିବା ଭରତ କୌଣସି ଉତ୍ତର ଦେଇପାରିନଥିଲେ। ବହୁ ଖୋଜାଖୋଜି କରି ଘରଲୋକ ଆଶା ଛାଡ଼ି ଦେଇଥିଲେ।
ସ୍ବେଚ୍ଛାସେବୀମାନେ ତାଙ୍କୁ ଉଦ୍ଧାର କରି ଯାଁଳାସ୍ଥିତ ସହାୟ ଜରାଶ୍ରମକୁ ନେଇଥିଲେ। ସେଠାରେ ସେ ପ୍ରାୟ ୧୪ ମାସ ରହିଥିଲେ। ଅନୁଷ୍ଠାନର କର୍ମଚାରୀଙ୍କ ସେବାଯତ୍ନରେ କ୍ରମେ ସୁସ୍ଥ ହୋଇ ଭରତ ନିଜର ସ୍ମରଣ ଶକ୍ତି ଫେରିପାଇଥିଲେ। ଠିକଣା ଜଣାପଡ଼ିବା ପରେ ଭରତଙ୍କ ଘରଲୋକଙ୍କୁ ଖବର ଦିଆଯାଇଥିଲା। ନାତୁଣୀ ସ୍ମିତାରାଣୀ ଓ ନାତି ମନୋଜ ଜରାଶ୍ରମରେ ପହଞ୍ଚି ଭାବବିହ୍ବଳ ହୋଇପଡ଼ିଥିଲେ।
ତେବେ ସେମାନେ ମଧ୍ୟ ନିଜ ଭୁଲ ବୁଝିପାରିଥିଲେ । ଠିକ୍ଭାବେ କଥା କହିପାରୁନଥିବାରୁ ତାଙ୍କୁ ଏକୁଟିଆ ଛାଡିବା ଠିକ୍ ନଥିଲା ବୋଲି କହିଛନ୍ତି । ତେବେ କେନ୍ଦୁଝର ସ୍ଥିତ ଘରକୁ ଫେରାଇ ନିଆଯିବ ବୋଲି ପରିବାର ଲୋକ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।
Powered by Froala Editor