ଏମଏସ ଧୋନିଙ୍କୁ ଆଇସିସି ହଲ ଅଫ ଫେମ ସମ୍ମାନ

ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନୀ ସୋମବାର ଲଣ୍ଡନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇସିସି ହଲ ଅଫ ଫେମରେ ସାମିଲ ହୋଇଛନ୍ତି। ଅନ୍ତର୍ଜାତୀୟ ଏବଂ ଭାରତୀୟ କ୍ରିକେଟରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ଏହି ସମ୍ମାନ ପାଇଛନ୍ତି । ବର୍ଷ ବର୍ଷ ଧରି ସାମିଲ ହୋଇଥିବା ୧୧୫ ଜଣ ଖେଳାଳିଙ୍କ ତାଲିକାରେ ନୂତନ ଭାବେ ଯୋଗ ଦିଆଯାଇଥିବା ସାତ ଖେଳାଳିଙ୍କ (ପାଞ୍ଚ ଜଣ ପୁରୁଷ ଏବଂ ଦୁଇ ଜଣ ମହିଳା) ମଧ୍ୟରୁ ଧୋନି ଜଣେ।
ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ (WTC ଫାଇନାଲ୍ 2025)ର ମାତ୍ର 2 ଦିନ ପୂର୍ବରୁ ଲଣ୍ଡନରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଏମଏସ ଧୋନିଙ୍କ ସମେତ 7 ଜଣ କିମ୍ବଦନ୍ତୀ କ୍ରିକେଟରଙ୍କୁ ହଲ ଅଫ୍ ଫେମରେ ସମ୍ମାନିତ କରାଯାଇଛି ।
ଏମଏସ ଧୋନିଙ୍କ ବ୍ୟତୀତ ମାଥ୍ୟୁ ହେଡେନ୍, ଗ୍ରାଏମ ସ୍ମିଥ୍, ଡାନିଏଲ୍ ଭିଟୋରି ଏବଂ ହାସିମ୍ ଆମଲାଙ୍କୁ ମଧ୍ୟ ହଲ ଅଫ୍ ଫେମରେ ସମ୍ମାନିତ କରାଯାଇଛି । ୧୧ତମ ଭାରତୀୟ ଖେଳାଳି (ନବମ ପୁରୁଷ ଖେଳାଳି) ଭାବେ ତାଙ୍କୁ ଏହି ସମ୍ମନ ମିଳିଛି।
୨୦୦୪ରେ ଭାରତ ପାଇଁ ପ୍ରବେଶ କରିବା ପରେ, ଧୋନୀ ୨୦୦୭ରେ ପ୍ରଥମ ଆଇସିସି ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଅଧିନାୟକତ୍ୱ ଗ୍ରହଣ କରିଥିଲେ ଏବଂ ଦଳକୁ ଟ୍ରଫି ଜିତାଇଥିଲେ। ସେ ୨୦୧୧ରେ ଦିନିକିଆ ବିଶ୍ୱକପ ଏବଂ ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ମଧ୍ୟ ଜିତିଥିଲେ। ଭାରତ ପାଇଁ ଧୋନି ୩୫୦ଟି ଦିନିକିଆ ଖେଳିଛନ୍ତି, ଯେଉଁଥିରେ ୫୦.୫୭ ହାରରେ ୧୦,୭୭୩ ରନ ସ୍କୋର କରିଛନ୍ତି। ଏହି ସମୟରେ ସେ ୧୦ଟି ଶତକ ଏବଂ ୭୩ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି।
ସେହିପରି ସେ ୯୦ଟି ଟେଷ୍ଟ ଖେଳିଛନ୍ତି ଏବଂ ଏହି ଫର୍ମାଟରେ ତାଙ୍କ କ୍ୟାରିୟର ୩୮ରୁ କିଛି ଅଧିକ ହାରରେ ୪୮୭୬ ରନ ରହିଛି। ଯେଉଁଥିରେ ଛଅଟି ଶତକ, ଏବଂ ୱିକେଟ-କିପର ଭାବେ ପ୍ରାୟ ୩୦୦ ଡିସମିସାଲ କରିଛନ୍ତି। ଧୋନି ତାଙ୍କର ଶେଷ ଆନ୍ତର୍ଜାତିକ ମ୍ୟାଚ ୨୦୧୯ ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପରାଜୟ ସମୟରେ ଖେଳିଥିଲେ ଏବଂ ୨୦୨୦ ଅଗଷ୍ଟରେ ଅବସର ଘୋଷଣା କରିଥିଲେ।
‘କ୍ୟାପ୍ଟେନ୍ କୁଲ୍’ ନାମରେ ଜଣାଶୁଣା ଏମଏସ ଧୋନି ମଧ୍ୟ ସବୁଠାରୁ ସଫଳ ଭାରତୀୟ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଥିଲେ। ଆଇସିସି ଅନୁଯାୟୀ, “ହଲ୍ ଅଫ୍ ଫେମ୍ କ୍ରିକେଟରେ ଅସାଧାରଣ ଅବଦାନ ପାଇଁ ଖେଳର କିମ୍ବଦନ୍ତୀମାନଙ୍କୁ ସ୍ୱୀକୃତି ଦେଇଥାଏ ଏବଂ ସେମାନଙ୍କର ସଫଳତାକୁ ଉତ୍ସବ ରୂପେ ପାଳନ କରେ।”
Powered by Froala Editor