କଳାଜାଇ ଥିବା ମହିଳାଙ୍କୁ ଚିହ୍ନ ପିଛା ମିଳିବ ୧ ହଜାର ଟଙ୍କା, ମହିଳାଙ୍କ ଅର୍ଦ୍ଧ ନଗ୍ନ ଭିଡିଓ କରିବା ଅଭିଯୋଗରେ ଏମ୍ବିକେ ଅଟକ
ରାଜକନିକା: ଯେଉଁ ମହିଳାଙ୍କ ପେଟ,ଛାତିରେ ଯେତୋଟି କଳାଜାଇ କିମ୍ବା ଅନ୍ୟ ଚିହ୍ନ ଥିବ ସେହି ମହିଳାଙ୍କୁ ଚିହ୍ନ ପିଛା ୧ ହଜାର ଟଙ୍କା ମିଳିବ। ଏହିଭଳି କଥା କହି କେତେକ ମହିଳାଙ୍କର ଅର୍ଦ୍ଧ ନଗ୍ନ ଭିଡିଓ କରିନେବା ଅଭିଯୋଗରେ ରାଜକନିକା ଥାନା ପୁଲିସ ଜଣେ ଏମ୍ବିକେଙ୍କୁ ଉଠାଇ ଆଣିଛି। ଏ ନେଇ ଥାନାରେ ରାଜକନିକା ତ୍ରୈଲୋକ୍ୟପୁର ପଞ୍ଚାୟତ ତେନ୍ତୁଲିକୋଇଲି ଗ୍ରାମର ମା’ ବୁଢୀ କନକେଇ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି କଳ୍ପନା ସାମଲ ଅଭିଯୋଗ କରିଛନ୍ତି।
ଶ୍ରୀମତୀ ସାମଲ ଅଭିଯୋଗରେ ଦର୍ଶାଇଛନ୍ତି, ଏହି ପଞ୍ଚାୟତର ଏମ୍ବିକେ କହିଲେ, ଯେଉଁ ମହିଳାଙ୍କ ପେଟ ଓ ଛାତିରେ କଳାଜାଇ ଓ ଅନ୍ୟ ଚିହ୍ନ ଥିବ ସେମାନଙ୍କୁ ଚିହ୍ନ ପିଛା ୧ ହଜାର ଟଙ୍କା ମିଳିବ। ଏ ନେଇ ଏକ ନମ୍ବରରୁ ଫୋନ ଆସିବ। ଏହାପରେ ଭିଡିଓ କଲ ମାଧ୍ୟମରେ ତାଲିମ ଦିଆଯିବ। ତାଲିମ ପରେ ପ୍ରତି ଚିହ୍ନ ପାଇଁ ଟଙ୍କା ଦିଆଯିବ। ଟଙ୍କା ପାଇବା ଲୋଭରେ ପ୍ରାଥମିକ ପର୍ଯ୍ୟାୟରେ ୭ ଜଣ ମହିଳା ଏମ୍ବିକେଙ୍କ ପାଖକୁ ଯାଇଥିଲେ। ଏମ୍ବିକେ ଏକ ସ୍ବତନ୍ତ୍ର କୋଠରିକୁ ଡାକି ନେଇ ଏକ ହ୍ବାଟ୍ସଆପ ନମ୍ବର ଦେବା ସହ ଜଣେ ଜଣେ ମହିଳାଙ୍କୁ ଭିଡିଓ କଲ କରିବା ପାଇଁ କହିଥିଲେ। ସେପଟେ ଜଣେ ବ୍ୟକ୍ତି ଏହି ଭିଡିଓ କଲର ସ୍କ୍ରିନ ରେକର୍ଡିଂ କରିଥିଲେ। ଏହିପରି ୭ ଜଣ ମହିଳାଙ୍କ ଅର୍ଦ୍ଧ ନଗ୍ନ ଭିଡିଓକୁ ସ୍କ୍ରିନ ରେକର୍ଡିଂ ମାଧ୍ୟମରେ କଏଦ କରାଯାଇଥିଲା। ଭିଡିଓ କଲ ଶେଷ ପରେ ମହିଳାମାନେ ଟଙ୍କା ମାଗିଥିଲେ। ହେଲେ ଟଙ୍କା ସାର୍ ପଠାଇଲେ ଦେବି ବୋଲି ଏମ୍ବିକେ କହିଥିଲେ। ତେଣୁ ମହିଳାଙ୍କ ଅର୍ଦ୍ଧ ନଗ୍ନ ଭିଡିଓକୁ ଖରାପ ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ସନ୍ଦେହ କରି ସେମାନେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ ଅଭିଯୁକ୍ତ ଏମ୍ବିକେଙ୍କୁ ଥାନାକୁ ଉଠାଇ ଆଣିଛି। ଘଟଣା ସମ୍ପର୍କରେ ରାଜକନିକା ଥାନା ଅଧିକାରୀ ସଞ୍ଜୟ ମଲ୍ଲିକ କହିଛନ୍ତି, ଅଭିଯୋଗ ପରେ ସଂପୃକ୍ତ ଏବିକେଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଉଛି। ମହିଳାମାନଙ୍କ ଅର୍ଦ୍ଧ ନଗ୍ନ ଭିଡିଓ କରିବା ପଛର ଉଦ୍ଦେଶ୍ୟ କ’ଣ ଓ ଯେଉଁ ବ୍ୟକ୍ତି ଭିଡିଓ କଲ୍ର ସ୍କ୍ରିନ ରେକର୍ଡିଂ କରିଥିଲେ ତାଙ୍କ ସମ୍ପର୍କରେ ଯାଞ୍ଚ କରାଯାଉଛି। ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Powered by Froala Editor