ରାଜ୍ୟସଭାରେ ବିଜେପି ନେତା ହୋଇପାରନ୍ତି ଧର୍ମେନ୍ଦ୍ର!
ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଉ ଏକ ଗୁରୁଦାୟିତ୍ୱ ମିଳିବାର ସମ୍ଭାବନା ରହିଛି । ରାଜ୍ୟସଭାରେ ବିଜେପି ନେତା ହୋଇପାରନ୍ତି ଧର୍ମେନ୍ଦ୍ର । ରାଜ୍ୟସଭାର ନେତା ପାଇଁ ଧର୍ମେନ୍ଦ୍ରଙ୍କ ନାମ ସବୁଠାରୁ ଆଗରେ ଥିବାର ଚର୍ଚ୍ଚା ଜୋର ଧରିଛି । ରାଜ୍ୟସଭାର ନେତା ଥିବା ଥାବରଚନ୍ଦ୍ର ଗେହୋଲତଙ୍କୁ ନିକଟରେ ରାଜ୍ୟପାଳ ଭାବେ ନିଯୁକ୍ତି କରାଯିବା ପରେ ବର୍ତ୍ତମାନ ରାଜ୍ୟସଭାରେ ବିଜେପି ନେତା ପଦ ଖାଲି ରହିଛି । ଧର୍ମେନ୍ଦ୍ରଙ୍କ ସମେତ ଅନ୍ୟ ଯେଉଁ ଚାରି ବରିଷ୍ଠ ନେତାଙ୍କ ନାମ ରାଜ୍ୟସଭାଙର ନେତା ପାଇଁ ଚର୍ଚ୍ଚା ହେଉଛି ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେପି ସଭାପତି ଜେ.ପି.ନଡ୍ଡା, କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ, ନିର୍ମଳା ସୀତାରମଣ ଏବଂ ମୁକତାର ଅବାସ ନକୱୀ । ସୁତ୍ର ଅନୁସାରେ କ୍ୟାବିନେଟ ମନ୍ତ୍ରୀଙ୍କୁ ରାଜ୍ୟସଭାର ନେତା ରୂପେ ମନୋନୀତ କରାଯିବାର ଦୃଷ୍ଟାନ୍ତ ରହିଛି । ସଂସଦର ମୌସୁମୀ ଅଧିବେଶନ ଆସନ୍ତା ୧୯ରୁ ଆରମ୍ଭ ହେଉଥିବାରୁ ଅଧିବେଶନ ପୂର୍ବରୁ ରାଜ୍ୟସଭାରେ ବିଜେପି ସଂସଦୀୟ ଦଳର ନେତାଙ୍କ ନାମ ଘୋଷଣା କରାଯିବାର ସମ୍ଭାବନା ରହିଛି ।
Powered by Froala Editor