ପରୀକ୍ଷା ଖାତା ମୂଲ୍ୟାୟନ ତ୍ରୁଟି : ଓପିଏସସିକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ଓଡ଼ିଶା ପବ୍ଲିକ ସର୍ଭିସ କମିସନକୁ କଟାକ୍ଷ କରିଛନ୍ତି ସୁପ୍ରିମକୋର୍ଟ। ଓଜେଏସ ପ୍ରଶ୍ନପତ୍ର ମୂଲ୍ୟାଙ୍କନ ପ୍ରସଙ୍ଗକୁ ନେଇ କଟାକ୍ଷ କରିଛନ୍ତି ସୁପ୍ରିମକୋର୍ଟ। ଓଡ଼ିଶା ବିଚାର ବିଭାଗୀୟ ସେବା (ଓଜେଏସ୍) ପରୀକ୍ଷାରେ ଖାତାରେ ଲେଖାଯାଇଥିବା ଉତ୍ତରର ମୂଲ୍ୟାୟନ କରାଯାଇ ନଥିବା ମାମଲାରେ ସଂପୃକ୍ତ ପ୍ରାର୍ଥୀଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଓପିଏସ୍ସିକୁ ନିର୍ଦ୍ଦେଶ ପ୍ରଦାନ କରି ଓଡ଼ିଶା ହାଇକୋର୍ଟ ୨୦୨୫, ଫେବ୍ରୁଆରି ୩ରେ ପ୍ରଦାନ କରିଥିବା ରାୟ ସୁପ୍ରିମକୋର୍ଟରେ କାଏମ୍ ରହିଛି।
ସୁପ୍ରିମକୋର୍ଟ କହିଛନ୍ତି ଯେ, ପ୍ରଶ୍ନପତ୍ର ମୂଲ୍ୟାଙ୍କନରେ ତ୍ରୁଟିକୁ ଅଣଦେଖା କରାଯାଇ ପାରିବନି। ଓପିଏସି ନିଜକୁ ବହୁତ ବଡ଼ ଭାବୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ, ଓଜେଏସ୍ ପରୀକ୍ଷାରେ ଏକ ପ୍ରଶ୍ନର ଉତ୍ତର ଲେଖିଥିଲେ ସୁଦ୍ଧା ଏହା ମୂଲ୍ୟାୟନ କରାଯାଇ ନଥିବା ଅଭିଯୋଗ ନେଇ ହାଇକୋର୍ଟରେ ପ୍ରାର୍ଥୀ ଜେ. ଦତ୍ତଙ୍କ ତରଫରୁ ୨୦୨୪ରେ ମାମଲା ରୁଜୁ ହୋଇଥିଲା। ଓଜେଏସ୍ ଭଳି ପରୀକ୍ଷା ଯେଉଁଠି ଭ୍ରମଶୂନ୍ୟ, ଠିକ୍, ନୈତିକ ଉତ୍କର୍ଷ ସର୍ବୋଚ୍ଚ ପ୍ରସଙ୍ଗ ସେଠାରେ ଏଭଳି ତ୍ରୁଟି ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିବା ସହିତ ୬୦ ଦିନ ଭିତରେ ଏହି ପ୍ରାର୍ଥୀଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ୍ ସଙ୍ଗମ୍ କୁମାର ସାହୁ ଓ ଜଷ୍ଟିସ୍ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ୨୦୨୫, ଫେବ୍ରୁଆରି ୩ରେ ଏହି ରାୟ ପ୍ରଦାନ କରିଥିଲେ। ଏହି ରାୟ ବିରୋଧରେ ଓପିଏସ୍ସି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା।
ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ଓପିଏସ୍ସି ଦାୟର କରିଥିବା ଏସ୍ଏଲ୍ପିକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।
Powered by Froala Editor