୫ ଦିନ ଭିତରେ କେରଳ ଛୁଇଁପାରେ ମୌସୁମୀ
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁ ସାରିଥିବା ବେଳେ ୪ରୁ ୫ ଦିନ ଭିତରେ କେରଳ ଛୁଇଁପାରେ । ପାଗ ଅନୁକୂଳ ଥିବାରୁ ମୌସୁମୀ ସଅଳ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଆଇଏମଡିଙ୍କ ସୂଚନା ଅନୁସାରେ ମୌସୁମୀ ଆଗାମୀ ୪-୫ଦିନରେ କେରଳ ପହଞ୍ଚିବା ପାଇଁ ପରିସ୍ଥିତି ଅନୁକୂଳ ହେଉଛି, ଅର୍ଥାତ ୨୩ କିମ୍ବା ୨୪ ମେ ସୁଦ୍ଧା ମୌସୁମୀ କେରଳ ଉପକୂଳ ଛୁଇଁବ। ତେବେ ପୂର୍ବରୁ ସୂଚିତ କରାଯାଇଥିବା ତାରିଖ ମେ ୨୭ ପୂର୍ବରୁ ମୌସୁମୀ ଭାରତୀୟ ଉପ ମହାଦ୍ୱୀପକୁ ଛୁଇଁବା ସ୍ପଷ୍ଟ ହୋଇଯାଛି।
ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମେ’ ୨୭ରେ କେରଳ ଛୁଇଁବ। ସାଧାରଣତଃ ମୌସୁମୀ ବାୟୁ ଜୁନରେ କେରଳ ପହଞ୍ଚି ଥାଏ। କିନ୍ତୁ ଚଳିତ ଥର ମୌସୁମୀ ଶୀଘ୍ର କେରଳ ପହଞ୍ଚିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।
ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ ୧ରେ କେରଳରେ ପହଞ୍ଚିବା ପରେ ସାରା ଭାରତରେ ବର୍ଷା ହୋଇଯାଇଥାଏ। ସେପ୍ଟେମ୍ବରରେ ମୌସୁମୀ ଭାରତର ଉତ୍ତର ପଶ୍ଚିମ ଅଞ୍ଚଳରୁ ହଟି ଯାଇଥାଏ । ତେବେ ମୌସୁମୀ ଆଗମନ ପୂର୍ବରରୁ ମେ ୨୪ ପର୍ଯ୍ୟନ୍ତ ପଶ୍ଚିମ ଉପକୂଳରେ ଭୀଷଣ ବର୍ଷା ଆଶଙ୍କା କରାଯାଇଛି। ଏହି ସମୟରେ କେତେକ ଅଞ୍ଚଳରେ ଭୀଷଣରୁ ଅତି ଭୀଷଣ ବର୍ଷା ଆଶଙ୍କା କରାଯାଇଛି। ଏଥିରେ ପଶ୍ଚିମ କର୍ଣ୍ଣାଟକ, କୋଙ୍କଣ ଓ ଗୋଆ ସମେତ ଦକ୍ଷିଣ ଭାରତ ଆଖପାଖ ଅଞ୍ଚଳରେ ଭୀଷଣ ବର୍ଷା ଆକଳନ କରାଯାଇଛି। ତେବେ ମୌସୁମୀ କେରଳ ପହଞ୍ଚିବା ପରେ ଧିରେ ଧିରେ ଆଗକୁ ବଢିବା ଆରମ୍ଭ କରିବ ବୋଲି ଆଇଏମଡି ଆକଳନ କରିଛନ୍ତି।
Powered by Froala Editor