ଝିଅ ଜନ୍ମ ହେଲେ ମା’କୁ ମିଳିବ ୧୨ ହଜାର

ଓଡ଼ିଶା ରାଜ୍ୟ ମନ୍ତ୍ରୀମଣ୍ଡଳୀ ରାଜ୍ୟର ‘ମମତା’ ଯୋଜନାକୁ କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (PMMVY)’ ସହିତ ସମନ୍ୱିତ ଭାବେ ‘ମମତା-PMMVY’ ନାମରେ କୋ-ବ୍ରାଣ୍ଡିଂ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ଅନୁମୋଦନ ପ୍ରଦାନ କରିଛି। ଚଳିତ ବର୍ଷ ଏପ୍ରିଲ ୧ରୁ ଦୁଇଟିଯାକ ଯୋଜନା କାର୍ଯ୍ୟକାରୀ ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଝିଅ ଜନ୍ମ ହେଲେ ମା’କୁ ମିଳିବ ୧୨ ହଜାର, ପୁଅ ଜନ୍ମ ହେଲେ ମିଳିବ ୧୦ ହଜାର ଟଙ୍କା । ରାଜ୍ୟ କ୍ୟାବିନେଟରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ପୂର୍ବରୁ ‘ମମତା’ ଯୋଜନା ଅଧୀନରେ ଝିଅ ସନ୍ତାନ ଜନ୍ମ ପାଇଁ ହିତାଧିକାରୀଙ୍କୁ ୧୦,୦୦୦ ଟଙ୍କା ମିଳୁଥିଲା। ଏବେ ‘ମମତା-PMMVY’ ଅଧୀନରେ ଏହା ବୃଦ୍ଧି କରି ୧୨,୦୦୦ ଟଙ୍କା କରାଯାଇଛି। ‘ମମତା-PMMVY’ ଅଧୀନରେ ପୁଅ ସନ୍ତାନ ଜନ୍ମ ପାଇଁ ହିତାଧିକାରୀଙ୍କୁ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ। ଅତ୍ୟନ୍ତ ପଛୁଆ ଜନଜାତି (PVTG) ସମ୍ପ୍ରଦାୟର ମହିଳାମାନଙ୍କୁ ଝିଅ ସନ୍ତାନ ଜନ୍ମ ହେଲେ ୧୨,୦୦୦ ଟଙ୍କା ଏବଂ ପୁଅ ସନ୍ତାନ ଜନ୍ମ ହେଲେ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ।
ପୂର୍ବରୁ ଅଙ୍ଗନବାଡ଼ି କର୍ମୀ (AWW) ଏବଂ ଅଙ୍ଗନବାଡ଼ି ସହାୟିକା (AWH) ମାନେ ପ୍ରୋତ୍ସାହନ ରାଶି ଭାବେ ଯଥାକ୍ରମେ ୨୦୦ ଟଙ୍କା ଏବଂ ୧୦୦ ଟଙ୍କା ପାଉଥିଲେ। ‘ମମତା-PMMVY’ ଅଧୀନରେ ଏବେ ଏହା ବୃଦ୍ଧି କରି AWW ପାଇଁ ୨୫୦ ଟଙ୍କା ଏବଂ AWH ପାଇଁ ୧୫୦ ଟଙ୍କା କରାଯାଇଛି। ‘ମମତା-PMMVY’ ଯୋଜନା ପାଇଁ ଆଗାମୀ ପାଞ୍ଚ ବର୍ଷରେ ପ୍ରାୟ ୨,୬୭୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଇଛି।
Powered by Froala Editor