ଜଗନ୍ନାଥ ଧାମରେ ସୁରକ୍ଷା କଡ଼ାକଡ଼ି, ୨୪ ଘଣ୍ଟିଆ ସଶସ୍ତ୍ର ଫୋର୍ସ ନିୟୋଜିତ

‘ଅପରେସନ ସିନ୍ଦୂର୍ ୨.୦’ ପରେ ପାକିସ୍ତାନ ପାଲଟା ଆକ୍ରମଣ ପାଇଁ ପ୍ରୟାସ କରୁଥିବାରୁ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଜଗନ୍ନାଥ ଧାମରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ଜଗନ୍ନାଥ ମନ୍ଦିର ବ୍ୟତୀତ ସହର ସାରା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଶ୍ରୀମନ୍ଦିର ସାମ୍ନାରେ ପୋଲିସ ଛାଉଣି ରହିଥିବାବେଳେ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶରେ ମଧ୍ୟ ଯାଞ୍ଚ କରାଯାଉଛି ।
ସୁରକ୍ଷାରେ ଯେପରି ସାମାନ୍ୟତମ କ୍ଷତି ନପହଞ୍ଚେ ସେନେଇ ସଶସ୍ତ୍ର ବଳକୁ ବଢ଼ାଇ ଦିଆଯାଇଛି। ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତିନିଟି ସିଫ୍ଟରେ ୨୪ ଘଣ୍ଟିଆ ସଶସ୍ତ୍ର ବନ୍ଧୁକଧାରୀ ଫୋର୍ସଙ୍କୁ ନିୟୋଜିତ କରାଯାଇଛି। ପ୍ରତି ସିଫ୍ଟରେ ୧୨୦ ଜଣ ଲେଖାଏଁ ସଶସ୍ତ୍ର ବାହିନୀ ନିୟୋଜିତ ହୋଇଛନ୍ତି। ଉଭୟ ଶ୍ରୀମନ୍ଦିର ଭିତର ଓ ବାହ୍ୟ ପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି। ମୋଟ ୩୩ଟି ସମ୍ବେଦନଶୀଳ ଚିହ୍ନଟ କରାଯାଇଛି। ସେହିପରି ଶ୍ରୀମନ୍ଦିର ଭିତର ପାର୍ଶ୍ବରେ ୧୪ଟି ପୋଷ୍ଟ ଚିହ୍ନଟ କରାଯାଇ ସେଠାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।
ବିଭିନ୍ନ ସ୍ଥାନରେ ନାକାବନ୍ଦୀ ଜାରି ରହିଛି । ହୋଟେଲ ଏବଂ ଲଜରେ ପୋଲିସର ଯାଞ୍ଚ ପ୍ରକ୍ରିୟା ଜାରି । କୌଣସି ସନ୍ଦିଗ୍ଧ ଗତିବିଧି, ବ୍ୟକ୍ତିବିଶେଷ ଓ ଘଟଣା ନଜରରେ ପଡ଼ିବା କ୍ଷଣି କଣ୍ଟ୍ରୋଲ ରୁମ୍କୁ ସୂଚନା ପହଞ୍ଚାଇବା ପାଇଁ ସଜାଗ ରହିଛନ୍ତି। ଭାରତ ପାକିସ୍ତାନ ଯୁଦ୍ଧ ପାଇଁ ସହରରେ ହାଇ ଆଲର୍ଟ ଜାରୀ ରହିଛି ।
Powered by Froala Editor