ରଥଖଳାରେ ୩ ରଥର ନିର୍ମାଣ କାର୍ଯ୍ୟ ଜାରି
ପୁରୀ: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ନିମନ୍ତେ ଶ୍ରୀନହରସ୍ଥିତ ଅସ୍ଥାୟୀ ରଥଖଳାରେ ୩ ରଥର ନିର୍ମାଣ କାର୍ଯ୍ୟ ଜାରିରହିଛି। ୩ ରଥ ପାଇଁ ଆବଶ୍ୟକ ୪୨ଟି ତୁମ୍ବ ମଧ୍ୟରୁ ୪୦ଟି ତୁମ୍ବ ମାପ ପ୍ରକାରେ ଗଡ଼ କରି କରତୀ ସେବକମାନେ ୩ ରଥ ଚାଳିକୁ ଯୋଗାଇ ଦେଇଛନ୍ତି। ଉକ୍ତ ତୁମ୍ବ ଗଡ଼ଗୁଡ଼ିକରୁ ୩ ରଥ ମହାରଣା ସେବକମାନେ ୧୮ଟି ତୁମ୍ବ ଗଡ଼କୁ ବାରିସିରେ ହାଣି ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି।
୩ ରଥ ମହାରଣା ସେବକମାନେ ୬ଟି ଲେଖାଏ ତୁମ୍ବର ଗୋଲେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି। ତାଳଧ୍ୱଜ ରଥ ନିର୍ମାଣକାରୀ ସେବକ ୬ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷକରି ଆଉ ୫ଟି ତୁମ୍ବ ଗୋଲେଇ କାର୍ଯ୍ୟ ଜାରି ରଖିଛନ୍ତି। ବାକି ୩ଟି ତୁମ୍ବରୁ ୨ଟି ଗଡ଼ ତୁମ୍ବରେ ମାପ ଚିହ୍ନ ଗାରିଆ ଶେଷ ହୋଇଛି। ଦେବୀ ରଥର ମୋଟ ୧୨ଟି ତୁମ୍ବରୁ ୬ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ହେବା ସହ ଅନ୍ୟ ତୁମ୍ବର ଗୋଲେଇ କାର୍ଯ୍ୟ ପାଇଁ ୪ଟି ତୁମ୍ବ ଗଡ଼ରେ ମାପ ଚିହ୍ନ ଗାରିଆ ହୋଇ ଗୋଟିଏ ତୁମ୍ବ ଗୋଲେଇ କାର୍ଯ୍ୟ ଜାରି ରହିଛି।
ସେହିପରି ନନ୍ଦିଘୋଷ ରଥ ଚଳିକୁ ଯୋଗାଇ ଦିଆଯାଇଥିବା ୧୬ଟି ତୁମ୍ବ ଗଡ଼ ମଧ୍ୟରୁ ୬ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ହେବା ସହ ୨ଟି ତୁମ୍ବର ଗୋଲେଇ କାର୍ଯ୍ୟ ଜାରି ରହିଛି। ବାକି ୮ଟି ତୁମ୍ବ ଗଡ଼ରେ ମାପ ଗାଡ଼ିଆ ଶେଷ ହୋଇଛି। ଅପରପକ୍ଷେ ଅସ୍ଥାୟୀ କମାରଶାଳ ଦୋଳବେଦୀ ପରିସରରେ ରଥ ନିର୍ମାଣ ପାଇଁ ଆବଶ୍ୟକ କଣ୍ଟା ପ୍ରସ୍ତୁତ ନିମନ୍ତେ ଅସ୍ଥାୟୀ କମାରଶାଳ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ତେବେ ରବିବାର ଶାଳ ପୂଜା ପରେ କଣ୍ଟା ପ୍ରସ୍ତୁତି ଆରମ୍ଭ ହେବ ବୋଲି ଓଝା ସେବକ ସୂଚନା ଦେଇଛନ୍ତି।
Powered by Froala Editor