୧୧ ବର୍ଷୀୟ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ରାମପୁର ଜିଲାରେ ଏକ ୧୧ ବର୍ଷୀୟ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଶିଶୁଟି ଚେତାଶୂନ୍ୟ ଓ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଏହି ମାମଲାରେ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି । ଏହି ଅଭିଯୁକ୍ତ ଗୋଡରେ ଗୁଳି ମଧ୍ୟ ବାଜିଛି । ଶିଶୁଟି ମୂକ ଓ ବଧିର ବୋଲି ଜଣାପଡିବା ସହ ସେ ମଙ୍ଗଳବାର ସନ୍ଧ୍ୟାରୁ ନିଖୋଜ ଥିଲେ । ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ଗୁରୁତର ଓ ଚେତାଶୂନ୍ୟ ଅବସ୍ଥାରେ ଜମିରୁ ଉଦ୍ଧାର ହୋଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ଚିିକିତ୍ସା ପାଇଁ ମେରଠ ପଠା ଯାଇଛି ।
ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ପଡୋଶୀ ଗାଁର ବୋଲି ଜଣାପଡିଛି । କଏଦ ହୋଇଥିବା ସିସିଟିଭି ଫୁଟେଜରେ ଦେଖାଯାଇଛି ଶିଶୁଟି ନିଜ ଘରୁ ବାହାରିବା ପରେ ଅଭିଯୁକ୍ତ ତାଙ୍କୁ ନେଇ ସେଠାରୁ ପଳାଉଛି । ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ତଲାସି ଆରମ୍ଭ କରିଦେଇଥିଲା । ଅଭିଯୁକ୍ତ ଧରା ପଡିବା ମାତ୍ରେ ପୁଲିସ ଉପରକୁ ଆକ୍ରମଣ କରିଥିଲା । ଏହାପରେ ପୁଲିସ ଆତ୍ମରକ୍ଷା ପାଇଁ ଗୁଳି ଚାଳନା କରିଥିଲା । ଶିଶୁଟିର ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଛି । ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସା ଜାରି ରହିଛି । ଏହି ମାମଲା ଅଞ୍ଚଳର ସୁରକ୍ଷା ଓ ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Powered by Froala Editor