ଚାଷୀକୂଳ ପାଇଁ ଖୁସିର ଖବର, ଏବର୍ଷ ସ୍ଵାଭାବିକଠୁ ଅଧିକ ବର୍ଷା

ଆଗାମୀ ମୌସୁମୀରେ ଭାରତରେ ସ୍ବାଭାବିକଠାରୁ ଅଧିକ ବୃଷ୍ଟିପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମଙ୍ଗଳବାର କହିଛି। ଫଳରେ କୃଷିଭିତ୍ତିକ ଅର୍ଥନୀତି ପାଇଁ ଭଲ ଫସଲ ଅମଳ ହେବାର ଆଶା ସଞ୍ଚାର ହୋଇଛି। ଆଇଏମଡିର ଏହି ଭବିଷ୍ୟତବାଣୀ କୃଷି ଓ ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଭଲ ଖବର ନେଇ ଆସିଛି। କାରଣ କୃଷି କ୍ଷେତ୍ର ଭାରତୀୟ ସକଳ ଘରୋଇ ଉତ୍ପାଦ(ଜିଡିପି)ରେ ୧୮ ପ୍ରତିଶତ ଯୋଗଦାନ ଦେଇଥାଏ। ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ ରବିଚନ୍ଦ୍ରନ ମଙ୍ଗଳବାର କହିଛନ୍ତି, ଚଳିତ ବର୍ଷ ଦୀର୍ଘକାଳୀନ ପାଣିପାଗ ପୂର୍ବାନୁମାନ ମୁତାବକ, ମୌସୁମୀ ବର୍ଷା ସ୍ଵାଭାବିକଠୁ ୧୦୫ ପ୍ରତିଶତ ପର୍ଯ୍ୟନ୍ତ ବର୍ଷା ହୋଇପାରେ।
ତାମିଲନାଡୁର ଅଧିକାଂଶ ଅଞ୍ଚଳ ଏବଂ ଉତ୍ତରପୂର୍ବାଞ୍ଚଳରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇପାରେ। ସେହିପରି ଜମ୍ମୁ-କଶ୍ମୀର, ଲଦାଖ, ବିହାରର କେତେକ ଅଞ୍ଚଳରେ ମଧ୍ୟ କମ୍ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଓଡ଼ିଶା, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗର ଅଧିକାଂଶ ଅଞ୍ଚଳରେ ସ୍ବାଭାବିକରୁ ଅଧିକ ବର୍ଷା ହେବ।
ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଭାରତରେ ଚାରି ମାସ ମୌସୁମୀ(ଜୁନରୁ ସେପ୍ଟେମ୍ବର) ସମୟରେ ସ୍ଵାଭାବିକଠୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ଉପମହାଦ୍ଵୀପରେ ସ୍ଵାଭାବିକଠୁ କମ ମୌସୁମୀ ବର୍ଷା ସହ ଜଡ଼ିତ ଏଲ ନିନୋ ପରି ସ୍ଥିତି ଏଥର ବିକଶିତ ହେବାର ସମ୍ଭାବନା କମ ରହିଛି। ତେଣୁ ଚଳିତ ବର୍ଷ ମୌସୁମୀରେ ଭଲ ବର୍ଷା ହେବ।
ସୂଚନାଯୋଗ୍ୟ, ସାଧାରଣତଃ ଦେଶରେ ମୌସୁମୀ ଜୁନ ୧ରେ କେରଳରେ ପ୍ରବେଶ କରିଥାଏ। ଏହା ପରେ ଏହା ଧିରେ ଧିରେ ଆଗକୁ ବଢି ପୂରା ଦେଶରେ ବ୍ୟାପୀଥାଏ। ପୁଣି ସେପ୍ଟେମ୍ବର ମଧ୍ୟଭାଗରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥାଏ।
Powered by Froala Editor